ଚାନ୍ଦା ନେବାରେ ବିଜେପି ସବୁଠୁ ଆଗରେ : ୨୦୧୯-୨୦ରେ ନିର୍ବାଚନୀ ପାଣ୍ଠିରୁ ପାଇଛି ୨୭୬ କୋଟି ଟଙ୍କା , ଅଞ୍ଚଳିକ ଦଳରେ ଟିଆରଏସ ଶୀର୍ଷରେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜନୈତିକ ଦଳ ଗୁଡିକ ମଧ୍ୟରେ ସର୍ବାଧିକ ଚାନ୍ଦା ନେଉଥିବା ଦଳ ହେଉଛି ଭାରତୀୟ ଜନତା ପାର୍ଟି। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି ମୋଟ ନିର୍ବାଚନ ପାଣ୍ଠିର ୮୦% ଟଙ୍କା ସଂଗ୍ରହ କରିଛି। ଯାହାର ମୂଲ୍ୟ ୨୭୬.୪୫ କୋଟି ଟଙ୍କା । ଚାନ୍ଦା ଦେଇଥିବା କମ୍ପାନୀ ଗୁଡିକ ମଧ୍ୟରୁ ଏୟାରଟେଲ ଗ୍ରୁପ୍ ଏବଂ DLF ଲିମିଟେଡ୍ ହେଉଛି ସବୁଠାରୁ ବଡ ଦାନକର୍ତ୍ତା । ବିଜେପି ପାଇଥିବା ୨୭୬.୪୫ କୋଟି ଟଙ୍କା ଚାନ୍ଦା ମଧ୍ୟରୁ ପ୍ରୋଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ୨୧୭.୫ କୋଟି, ଜନ କଲ୍ୟାଣ ନିର୍ବାଚନୀ ଟ୍ରଷ୍ଟରୁ ୪୫.୯୫ କୋଟି, ଏବି ଜେନେରାଲ ଟ୍ରଷ୍ଟରୁ ୯ କୋଟି ଏବଂ ସମାଜ ନିର୍ବାଚନୀ ଟ୍ରଷ୍ଟରୁ ୩.୭୫ କୋଟି ଟଙ୍କା ଆସିଛି। ଅପରପକ୍ଷରେ କଂଗ୍ରେସ ପାର୍ଟିକୁ ୫୮ କୋଟି ଟଙ୍କା ଚାନ୍ଦା ମିଳିଛି । ପ୍ରୋଡେଣ୍ଟ ନିର୍ବାଚନୀ ଟ୍ରଷ୍ଟରୁ ୩୧ କୋଟି, ଜନ କଲ୍ୟାଣ ନିର୍ବାଚନୀ ଟ୍ରଷ୍ଟରୁ ୨୫ କୋଟି ଏବଂ ସମାଜ ନିର୍ବାଚନୀ ଟ୍ରଷ୍ଟରୁ ୨ କୋଟି ଟଙ୍କା ଚାନ୍ଦା ମିଳିଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗରେ ଦେଶର ମୋଟ ୩୫ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ୨୦୧୯-୨୦ ବର୍ଷ ପାଇଁ ସେମାନଙ୍କର ଅଡିଟ୍ ରିପୋର୍ଟ ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରେ କେସିଆର୍ ଙ୍କ ପାର୍ଟି ଟିଆରଏସ ସର୍ବାଧିକ ୧୩୦.୪୬ କୋଟି ଟଙ୍କା, ଶିବସେନାକୁ ୧୩୦.୪୬ କୋଟି, ଓ୍ବାଇଏସଆରସିପି ୯୨.୨ କୋଟି, ବିଜେଡି ୯୦.୩୫ କୋଟି, ଏଆଇଡିଏମକେ ୮୯.୬ କୋଟି, ଡିଏମକେକୁ ୬୪.୯୦ କୋଟି ଏବଂ ଆମ୍ ଆଦମୀ ପାର୍ଟିକୁ ୪୯.୬୫ କୋଟି ଟଙ୍କା ଚାନ୍ଦା ମିଳିଛି । ୨୦୧୯-୨୦ରେ କଂଗ୍ରେସର ମୋଟ ଆୟ ୬୮୨ କୋଟି ଟଙ୍କା ଥିଲା ଯାହା ପୂର୍ବ ବର୍ଷ ତୁଳନାରେ ୨୫ ପ୍ରତିଶତ ହ୍ରାସ ପାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ ଆଞ୍ଚଳିକ ଦଳଗୁଡିକୁ ନିର୍ବାଚନ ବଣ୍ଡ୍ ରୁ ସର୍ବାଧିକ ଆୟ କରିଛନ୍ତି ।

ଆଞ୍ଚଳିକ ଦଳ ଗୁଡିକ ମଧ୍ୟରେ ଟିଆରଏସକୁ ୮୯.୧୫ କୋଟି, ଓ୍ବାଏସଆରସିପି୭୪.୩୫ କୋଟି, ବିଜେଡିକୁ ୫୦.୫ କୋଟି, ଡିଏମକେକୁ ୪୫.୫ କୋଟି, ଶିବସେନାକୁ ୪୦.୯୮ କୋଟି, ଆମ୍ ଆଦମୀ ପାର୍ଟିକୁ ୧୭.୭୬ କୋଟି, ସମାଜବାଦୀ ପାର୍ଟିକୁ ୧୦.୮୪ କୋଟି, ଜେଡିଏସକୁ ୭.୫ କୋଟି ଏବଂ ଆରଜେଡିକୁ ୨.୫ କୋଟି ଟଙ୍କାର ଚାନ୍ଦା ମିଳିଛି । ତେବେ କୌତୂହଳର ବିଷୟ ହେଉଛି, ବିର୍ଲା କର୍ପୋରେସନ ଲିମିଟେଡରୁ ଆସିଥିବା ୩ କୋଟି ଟଙ୍କାର ଚାନ୍ଦା କେଉଁ ଦଳକୁ ଦିଆଯାଇଛି ଏହାର ଖୁଲାସା ହୋଇ ନାହିଁ। କାରଣ ଯେହେତୁ ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ କେଉଁ ରାଜନୈତିକ ଦଳ କୁ ଚାନ୍ଦା ଦିଆଯାଉଛି ତାହାର ନାମ ଉଲ୍ଲେଖ କରିବାର ପ୍ରବନ୍ଧନ ନାହିଁ, ତେଣୁ ଏହା ଜଣାବି କଷ୍ଟକର। ବିଜେପି ଏବଂ କଂଗ୍ରେସ ପାର୍ଟିକୁ ବାଦ୍ ଦେଲେ ପ୍ରୋଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ଆମ୍ ଆଦମୀ ପାର୍ଟିକୁ ୧୧.୨୬ କୋଟି, ଶିବସେନାକୁ ୫ କୋଟି, ସମାଜବାଦୀ ପାର୍ଟି ଏବଂ ଜନନାୟକ ପାର୍ଟିକୁ ଦୁଇ ଦୁଇ କୋଟି ଟଙ୍କା, ଏଲଜେପି ଏବଂ ଶିରୋମଣି ଅକାଳୀ ଦଳକୁ ୧ କୋଟି ଲେଖାଏଁ ଏବଂ ଭାରତୀୟ ଜାତୀୟ ଲୋକ ଦଳକୁ ୫୦ ଲକ୍ଷ ଟଙ୍କା । ୨୦୧୮-୧୯ରେ ପ୍ରୋଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଭିନ୍ନ ରାଜନୈତିକ ଦଳଗୁଡିକରେ ୧୮୨ କୋଟିରୁ ଅଧିକ ଟଙ୍କା ଚାନ୍ଦା ଦେଇଥିଲା। ୨୦୧୯-୨୦ରେ ଜନକଲ୍ୟାଣ ଇଲେକ୍ଟୋରାଲ ଟ୍ରଷ୍ଟ ଦ୍ବାରା ପ୍ରଦାନ କରାଯାଇଥିବା ମୋଟ ୭୦.୯୫ କୋଟି ଟଙ୍କା ମଧ୍ୟରୁ ଅଧିକାଂଶ ଜେଏସଡବ୍ଲୁ ଗ୍ରୁପରୁ ମିଳିଥିଲା। ସେଥି ମଧ୍ୟରୁ ୪୫.୯୫ କୋଟି ଟଙ୍କା ବିଜେପିକୁ ଏବଂ ୨୫ କୋଟି ଟଙ୍କା କଂଗ୍ରେସକୁ ମିଳିଛି। ସେହିପରି ସମାଜ ଇଲେକ୍ଟୋରାଲ୍ ଟ୍ରଷ୍ଟ ପ୍ରଦାନ କରିଥିବା ୭.୪ କୋଟି ଟଙ୍କା ମଧ୍ୟରୁ ୩.୭୫ କୋଟି ଟଙ୍କା ବିଜେପିର ଜମ୍ମୁ ଓ କଶ୍ମୀର ୟୁନିଟକୁ, କଂଗ୍ରେସକୁ ୨ କୋଟି ଟଙ୍କା, ଜେଡି (ୟୁ) କୁ ୧.୨୫ କୋଟି, ଜମ୍ମୁ ଓ କଶ୍ମୀରର ନ୍ୟାସନାଲ୍ କନଫରେନ୍ସକୁ ୨୫ ଲକ୍ଷ ଟଙ୍କା ଏବଂ ରାଷ୍ଟ୍ରିୟ ଲୋକ ଦଳକୁ ୧୫ ଲକ୍ଷ ଟଙ୍କା ମିଳିଛି।

Related Posts