୭୫ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି। ସୁଭାଷିନୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ପାପା ଆଉ ନାହାନ୍ତି।

ସୂଚନାଯୋଗ୍ୟ ଯେ, ଶରଦ ଯାଦବ ୧୯୪୭ ମସିହା ଜୁଲାଇ ୧ ତାରିଖରେ ମଧ୍ୟପ୍ରଦେଶର ହୋଶଙ୍ଗାବାଦର ବାନ୍ଦାଇ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏକ କୃଷକ ଘରେ ଜନ୍ମ ହୋଇଥିଲେ ମଧ୍ୟ ଶରଦ ପାଠପଢାରେ ବହୁତ ଆଗୁଆ ଥିଲେ | ଛାତ୍ରାବସ୍ଥାରୁ ସେ ରାଜନୀତିକୁ ଆସିଥିଲେ । ଛାତ୍ର ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ‌ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ଲୋକସଭାକୁ ୭ ଥର ଏବଂ ରାଜ୍ୟସଭାକୁ ୩ଥର ନିର୍ବାଚିତ ହୋଇଥିଲେ । ସେ ବିହାର ଶାସକ ଦଳ ଜେଡିୟୁର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଜେପି ସହ ହାତ ମିଳାଇବା ପରେ ଦଳ ପରିତ୍ୟାଗ କରିଥିଲେ । ୨୦୧୮ ମସିହାରେ ସେ ଲୋକତାନ୍ତ୍ରିକ ଜନତା ଦଳ ପ୍ରତିଷ୍ଠା କରିଥିଲେ ।ଏହାର ୨ବର୍ଷ ପ‌ରେ ସେ ତାଙ୍କ ଦଳକୁ ଆରଜେଡି ସହ ସାମିଲ କରିଥିଲେ । ସ୍ବର୍ଗତ ଯାଦବ ରାମ ମନୋହର ଲୋହିଆଙ୍କ ଆର୍ଦଶ‌ର‌େ ଅନୁପ୍ରାଣିତ ଥିଲେ ।

Related Posts