ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧାରେ ୪୦ହଜାର କୋଟିର ୩୬ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୫୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ସୂଚନା ମିଳିଛି । ତେବେ ଓଡ଼ିଶା ଶିଳ୍ପ ଜଗତରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ଲୋକଙ୍କ ସରକାରରେ ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ଵିତୀୟ ଶିଳ୍ପ ବିପ୍ଲବ। ଖୋର୍ଦ୍ଧା ଭୂଇଁପୁରରେ ଏକାଥରକେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୪୦ ହଜାର ୮୧୧ କୋଟି ଟଙ୍କାର ଏହି ପ୍ରକଳ୍ପରେ ମିଳିବ ୫୯ ହଜାରରୁ ଅଧିକ ନିଯୁକ୍ତି । ଓଡ଼ିଶାକୁ ଶିଳ୍ପର ହବ୍ ଭାବେ ଗଢି ତୋଳିବାକୁ ଯେଉଁ ସ୍ବପ୍ନ ସରକାର ଦେଖିଛନ୍ତି ତାହାକୁ ବଳ ଦେବ ଏହି ପ୍ରକଳ୍ପ। ଏଥିପାଇଁ ବିଭିନ୍ନ ସଂସ୍ଥାର ମୁଖ୍ୟଙ୍କ ସହ ରାଉଣ୍ଡ ଟେବୁଲ ବୈଠକ ସହ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ପ୍ରତିଶ୍ରୁତିରୁ କାର୍ଯ୍ୟାନ୍ବୟନ ଏବଂ ସମ୍ଭାବନାରୁ ସମୃଦ୍ଧି ଆଡ଼କୁ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆଗକୁ ବଢ଼ୁଛି। ଗତ ୨ରୁ ୩ ବର୍ଷ ମଧ୍ୟରେ ଓଡ଼ିଶା କେବଳ ସମ୍ଭାବନାର ରାଜ୍ୟ ହୋଇ ରହି ନାହିଁ, ବରଂ ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରିବା ଆରମ୍ଭ କରିଛି ବୋଲି କହିଛନ୍ତି ।
