ଘୋଷଣାରେ ରହିଗଲା ଗରିବଙ୍କୁ ମାଗଣା ଆଇନ ସହାୟତା : ୫ବର୍ଷ ପରେ ବି ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଫେଲ୍ ମାରିଲା ରାଜ୍ୟ ସରକାରଙ୍କ ‘ମଧୁବାବୁ ଆଇନ ସହାୟତା ଯୋଜନା’ । ଗ୍ରାମାଞ୍ଚଳ ବାସୀଙ୍କୁ ନ୍ୟାୟ ପ୍ରଦାନ ଓ ଦୁଆର ମୁହଁରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଗତ ୫ବର୍ଷ ତଳେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନା ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଥିବାର ଅଭିଯୋଗ ହୋଇଛି। ୨୦୧୭ ପଂଚାୟତ ନିର୍ବାଚନରେ ଏହି ଯୋଜନା ଆଧାରରେ ଓକିଲ ଓ ସାଧାରଣ ଲୋକଙ୍କ ଭୋଟ ହାତେଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏବେ କିନ୍ତୁ ସେହି ଯୋଜନାକୁ ବୋଧେ ଭୁଲି ଯାଇଛନ୍ତି। 

ଗ୍ରାମାଞ୍ଚଳରେ ଆର୍ଥିକ ସମସ୍ୟା ଏବଂ ଅନ୍ୟ କାରଣରୁ ଆଇନଗତ ସହାୟତା ପାଇବାରୁ ବଂଚିତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଆଇନ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ‘ମଧୁବାବୁ ଆଇନ ସହାୟତା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତିଟି ପଂଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯାଇ ଜଣେ ଲେଖାଏଁ ଓକିଲଙ୍କୁ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ସେହି ସମୟରେ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ଏସଇବିସି ସମେତ ସମାଜର ବଂଚିତ ବର୍ଗଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଗାଁ ଗାଁ ରେ ଥିବା ସହାୟତା କେନ୍ଦ୍ର କାର୍ଯ୍ୟ କରିବ ବୋଲି ସରକାର କହିଥିଲେ। 

ଗାଇଡଲାଇନ ମୁତାବକ ପ୍ରତି ଶନିବାର ଏବଂ ରବିବାର ଦିନ ସବୁ ପଂଚାୟତ ଅଫିସରେ ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଜିଆରଏସ ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଗାଁରେ ସେହି ଲୋକଙ୍କୁ ଚିହ୍ନଟ କରି ସହାୟତା କେନ୍ଦ୍ର କୁ ଆଣିବାର ପ୍ରାବଧାନ ଥିଲା ଯେଉଁମାନେ ଆଇନ ସହାୟତାରୁ ବଞ୍ଚିତ ଥିଲେ । ଏହି ଯୋଜନା ଅଧୀନରେ ଓକିଲମାନଙ୍କୁ ପ୍ରତିଥର ୫୦୦ଟଙ୍କା ଫି’ ମଧ୍ୟ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରତ୍ୟେକ ପଂଚାୟତ ନିମନ୍ତେ ୩ଜଣିଆ ଓକିଲଙ୍କ ତାଲିକା ସରକାରଙ୍କୁ ସୁପାରିଶ କରି ସେଥିରୁ ଜଣଙ୍କୁ ଏହି ସହାୟତା କେନ୍ଦ୍ରରେ ନିଯୁକ୍ତି ଦେବାର ଥିଲା। ସେହି ଓକିଲଙ୍କୁ ୨ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯିବାର ପ୍ରାବଧାନ ରହିଛି।

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ , ଗ୍ରାମାଞ୍ଚଳର ଲୋକ ଅର୍ଥିକ ସଙ୍କଟ ଓ ଅନ୍ୟାନି ସମସ୍ୟାରୁ ଆଇନଗତ ସହାୟତାରୁ ବଂଚିତ ହେଉଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଘୋଷିତ ‘ମଧୁବାବୁ ଆଇନ ସହାୟତା’ ଯୋଜନାକୁ ଲାଗୁ କରିବାରେ ଆନ୍ତରିକତା ଦେଖାଇ ନାହାନ୍ତି।

ରାଜ୍ୟ ଆଇନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ , ରାଜ୍ୟରେ ମୋଟ ୬୮୦୨ଟି ପଂଚାୟତ ଥିବାବେଳେ ସେଥିରୁ ମାତ୍ର ୨୦୭୪ଟି ପଂଚାୟତରେ ଏବେ ମଧୁବାବୁ ଆଇନ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି।ଏବଂ ବଳକା ୪୭୨୮ଟି ପଂଚାୟତରେ ଏପର୍ଯ୍ୟନ୍ତ ଆଇନ ସହାୟତା କେନ୍ଦ୍ର ଖୋଲି ନଥିବା ସେ କହିଛନ୍ତି । ଯେଉଁ ପଂଚାୟତରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ସେଥିରୁ ଅଧିକାଂଶ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଓକିଲଙ୍କର ୨ବର୍ଷିଆ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ବସିଲାଣି। ଜିଲ୍ଲାର ଜିଲ୍ଲାପାଳମାନେ ଏଦିଗରେ କୌଣସି ଉତ୍ସାହ ଦେଖାଉନଥିବାରୁ ଏହି ଯୋଜନା ଏବେ ଫେଲ୍ ମାରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରତାପ ଜେନା ୨୦୧୭ ମସିହାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଗରିବଙ୍କୁ ଆଇନଗତ ସହାୟତା ଓ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର କାର୍ଯ୍ୟକାରିତାର କେବେ ସମୀକ୍ଷା କରିନାହାନ୍ତି। ତେଣୁ ଏହା କେବଳ ଘୋଷଣା ମଧ୍ୟରେ ସୀମିତ ହୋଇଯାଇଛି।

Related Posts