ମୋଦିଙ୍କ ତୃତୀୟ ପାଳିରେ ବୈଦେଶିକ ନୀତିରେ ହେବ ବଡ଼ ସଂସ୍କାର : ଜୟଶଙ୍କର

ଭୁବନେଶ୍ୱର,୦୪/୫(ସତ୍ୟପାଠ ବ୍ୟୁରୋ):     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ବୈଦେଶିକ ନୀତିରେ ବଡ଼ ସଂସ୍କାର ଆସିବ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏଡିଟର୍ସ ମିଟରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିରେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକମାନେ ସାମିଲ୍ ହୋଇଥିଲେ । ଜୟଶଙ୍କର କହିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ଭୋଟ ବ୍ୟାଙ୍କ ପାଇଁ ଭାରତକୁ ଦୋଷ ଦେଉଛନ୍ତି ।

ଭାରତ ପାଇଁ କାନାଡାରେ ଚାଲିଛି ପଲିଟିକାଲ୍ ଗେମ୍ । କାନାଡା ସରକାର ଆମକୁ ଦୋଷ ଦେଉଛନ୍ତି, କିନ୍ତୁ ପ୍ରମାଣ ଦେଉ ନାହାନ୍ତି । ଗଲୱାନ ଘଟଣା ପରେ ଚୀନ୍ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଜାରି ରହିଛି । ସୀମାରେ ପାଟ୍ରୋଲିଂ ଆବଶ୍ୟକ । କିନ୍ତୁ ଉଭୟ ପକ୍ଷ ପାଟ୍ରୋଲିଂ କରି ପାରୁ ନାହାନ୍ତି । ସେହିପରି ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ୍ ଚାହୁଁଛନ୍ତି ଭାରତ ସେମାନଙ୍କ ଭିତରେ ମଧ୍ୟସ୍ଥତା କରୁ ।

ଆମେ ବୈଦେଶିକ ନୀତି ସ୍ପଷ୍ଟ ଥିବାରୁ ଭାରତର ମଧ୍ୟସ୍ଥତା ଭଳି ଭୂମିକା ଚାହୁଁଛନ୍ତି । ସେହିପରି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବି ସୂଚନା ଦେଉଛନ୍ତି ଜୟଶଙ୍କର । ସେ କହିଛନ୍ତି, ବ୍ରିଟେନ ଆଇନ ବ୍ୟବସ୍ଥା ଯୋଗୁଁ ସେମାନଙ୍କର ପ୍ରତ୍ୟର୍ପଣ ବିଳମ୍ବ ହେଉଛି । ପ୍ରାକୃତିକ ସମ୍ପଦ ଭରପୁର ସତ୍ତ୍ୱେ ଓଡ଼ିଶା ପଛରେ ପଡିଛି ।

ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର ବୋଲି ଜୟଶଙ୍କର କହିଛନ୍ତି । ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ କାଲି ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ପ୍ରେସ୍‌ମିଟ୍‌ କରି କହିଛନ୍ତି, ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ ।

ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲ ପାଇବାର ଏହା ନିଦର୍ଶନ ବୋଲି କହିଛନ୍ତି । ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି । ମୋଦିଙ୍କ ଗ୍ୟାରେଣ୍ଟି ସୀମା ପାର୍‌ ବି କାମ କରିଥାଏ । କେହି ଭାରତୀୟ ବାହାର ଦେଶରେ ଫସିଲେ ସେମାନଙ୍କୁ ଉଦ୍ଧାର ହେଉଛି । ୟୁକ୍ରେନ, ସୁଦାନ, ଇସ୍ରାଏଲରୁ ଓଡ଼ିଶା ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଓଡ଼ିଶାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ବୋଲି କହିଛନ୍ତି ।

ସେହିପରି ମୋଦିଙ୍କ ଓଡ଼ିଆ ପ୍ରୀତିକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ ମିଳିଛି । ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି । ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି । ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାସ୍‌ପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି ବୋଲି କହିଛନ୍ତି ।

ସେହିପରି ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି । ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ମିଳିଛି । ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାର ଅଛନ୍ତି । ମୋଦିଙ୍କ ସହଯୋଗୀ ଭଳି ଓଡ଼ିଶାରେ ସରକାର ହେବା ଉଚିତ । ଓଡ଼ିଶା ସହଯୋଗରେ ସଂସଦରେ ୪ଶହ ପାର୍‌ ହେବା ବିଶ୍ୱାସ । ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି ବୋଲି ପ୍ରେସମିଟ୍ରେ କହିଛନ୍ତି ଜୟଶଙ୍କର ।

Related Posts