ନୂଆଦିଲ୍ଲୀ: ଏପ୍ରିଲ୍‌ ୧ରୁ ମହଙ୍ଗା ହେବାକୁ ଯାଉଛି ‘ପାରାସିଟାମଲ୍‌’, ‘ଆଣ୍ଟିବାୟୋଟିକ୍‌’, ‘ଆଣ୍ଟି-ଇନ୍‌ଫେକ୍ଟିଭ୍‌’ ସମେତ ୮୦୦ ଅତ୍ୟାବଶ୍ୟକ ଔଷଧ । ଶୁକ୍ରବାର ଦିନ ସରକାର ଉପରୋକ୍ତ ଔଷଧର ଦର ୧୦.୭% ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ଫଳରେ ଆଗାମୀ ଦିନରେ ଏହି ସବୁ ଔଷଧ ର ଦର ବୃଦ୍ଧି ପାଇବ ।

ଏହା ହେଉଛି ନିୟନ୍ତ୍ରିତ ମୂଲ୍ୟରେ ମିଳୁଥିବା ‘ସ୍କିଡ୍ୟୁଲ୍‌ଡ୍‌ ଡ୍ରଗ୍‌’ (ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ବିନା ବିକ୍ରି ହେଉ ନ ଥିବା) କ୍ଷେତ୍ରରେ ସର୍ବାଧିକ ଦର ବୃଦ୍ଧି ପାଇଁ ଅନୁମତି ପ୍ରଦାନ। ‘ନ୍ୟାସ୍‌ନାଲ୍‌ ଲିଷ୍ଟ୍‌ ଅଫ୍ ଏସେନ୍‌ସିଆଲ୍‌ ମେଡିସିନ୍‌’ (ଏନ୍‌ଏଲ୍‌ଇଏମ୍‌) ଅଧୀନରେ ୮୦୦ରୁ ଊର୍ଦ୍ଧ୍ବ ‘ସ୍କିଡ୍ୟୁଲ୍‌ଡ୍‌ ଡ୍ରଗ୍‌’ ରହିଛି।

‘ଏନ୍‌ଏଲ୍‌ଇଏମ୍‌’ ତାଲିକାରେ ‘ପାରାସିଟାମଲ୍‌’, ‘ଆଜିଥ୍ରୋମାଇସିନ୍‌’, ‘ଆଣ୍ଟି-ଏନିମିଆ’, ‘ଭିଟାମିନ୍‌’ ଓ ‘ମିନେରାଲ୍‌’ ଭଳି ଔଷଧ ରହିଛି। ଏହାଛଡ଼ା, ସାମାନ୍ୟରୁ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଷ୍ଟେରୋଏଡ୍‌ସ୍‌ ଆଦି ମଧ୍ୟ ଉକ୍ତ ତାଲିକାରେ ରହିଛି। ଅର୍ଥାତ୍‌ ଜ୍ବର, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଚର୍ମରୋଗ ଏବଂ ରକ୍ତହୀନତା ଆଦି ଚିକିତ୍ସା ନିମନ୍ତେ ଅଧିକ ମୂଲ୍ୟ ଦେଇ ଔଷଧ କିଣିବାକୁ ପଡ଼ିବ।

ବର୍ଷ ୨୦୨୦ର ସମୟ ଅବଧି ଅନୁସାରେ ବର୍ଷ ୨୦୨୧ ପାଇଁ ‘ନ୍ୟାସ୍‌ନାଲ୍‌ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଙ୍ଗ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ‘ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‌’ରେ (ଡବ୍ଲୁପିଆଇ) ୧୦.୭% ପରିବର୍ତ୍ତନ ବା ବୃଦ୍ଧି ଘୋଷଣା କରିଛି। ‘ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟର ଅର୍ଥନୈତିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପ୍ରଦତ୍ତ ‘ଡବ୍ଲୁପିଆଇ’ ତଥ୍ୟାବଳିକୁ ଆଧାରକରି ‘ଡବ୍ଲୁପିଆଇ’ ଆବଶ୍ୟକ ଆକଳନ କରି ଉକ୍ତ ଔଷଧଗୁଡ଼ିକର ଦର ୧୦.୭୬୬୦୭% ବୃଦ୍ଧି କରିବାକୁ ଅନୁମତି ଦେଇଛି । ଯାହା ଏପ୍ରିଲ 1 ରୁ ଦରରେ ପରିବର୍ତ୍ତନ ଘଟିବ।