ଆଜିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର, ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ନୂଆ ପ୍ରଭାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ଏହି ଶିବିରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଓ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଯୋଗଦେବେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ରାଜ୍ୟ ସଙ୍ଗଠନକୁ ମଜବୁତ୍‌ କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ଶିବିରରେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍‌ ସନ୍ତୋଷ ଯୋଗଦେଇ ପ୍ରଶିକ୍ଷଣ ଦେବେ। ୨୦୨୪ରେ ବିଜେପି ଯେପରି ଓଡ଼ିଶାରେ ସମସ୍ତ ସଂସଦୀୟ କ୍ଷେତ୍ରରେ ବିଜୟ ହାସଲ କରିବ ସେନେଇ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରଣନୀତି ବିଷୟରେ ଅବଗତ କରାଇବେ। ବୁଥ୍‌ ସ୍ତରରୁ ସଙ୍ଗଠନକୁ ମଜବୁତ୍‌ କରିବା ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଚାର ପ୍ରସାର କିଭଳି ହେବା ଦରକାର ସେନେଇ ଗୁରୁମନ୍ତ୍ର ଦେବେ। ଓଡ଼ିଶା ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ ଓଡିଶା ଗସ୍ତ କାର୍ଯ୍ୟକ୍ରମ ।

ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ ପ୍ରଭାରୀ। ଦଳର ସଙ୍ଗଠନ ଓ ୨୦୨୪ ରଣନୀତି ଉପରେ ଆଲୋଚନା ହେବ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିବାରେ ବଂଶଲଙ୍କ ବଡ଼ ଭୂମିକା ଥିବାରୁ ସେଠାରେ ଯେଉଁ ରଣନୀତି ପ୍ରସ୍ତୁତ ହୋଇଥିଲା ଓଡ଼ିଶାରେ ମଧ୍ୟ ସେଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହେବ।

Related Posts