୨୮ରେ ନଡ୍ଡାଙ୍କ ଦିନିକିଆ ଓଡ଼ିଶା ଗସ୍ତ; ତୁମୁଡ଼ିବନ୍ଧ ଓ ବାଣପୁରରେ ଜନସଭାକୁ ଦେବେ ଉଦବୋଧନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ଡ଼ିସେମ୍ବର ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ନଡ୍ଡା କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଓ ଚିଲିକା ବିଧାନସଭା ମଣ୍ଡଳୀର ବାଣପୁରଠାରେ ୨ଟି ଜନସଭାକୁ ସମ୍ବୋଧିତ କରିବେ । ଏହାସହିତ କନ୍ଧମାଳର ଜଳେଶପଟ୍ଟା ଆଶ୍ରମର କନ୍ୟାଶ୍ରମକୁ ଉଦଘାଟନ ଓ ବାଣପୁରରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତେବେ ଗତ ୩ମାସ ମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୮ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ତୁମୁଡ଼ିବନ୍ଧ ମିନି ଷ୍ଟାଡ଼ିୟମରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ଜଳେଶପଟ୍ଟା ଆଶ୍ରମରେ ଏକ ନୂଆ କନ୍ୟାଶ୍ରମକୁ ମଧ୍ୟ ଉଦଘାଟନ କରିବେ ।

ଏହାପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଚିଲିକା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଅପରାହ୍ନ ୩ଟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ ମା’ ଭଗବତୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ନାଚୁଣୀସ୍ଥିତ କଲେଜର ଇନଡୋର ଷ୍ଟାଡ଼ିୟମରେ ଦଳୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେବେ । ସେଠାରୁ ସଡ଼କ ମାର୍ଗରେ ଭୁବନେଶ୍ୱର ଫେରି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ନଡ୍ଡା ଗତ ସେପ୍ଟେମ୍ବର ମାସ ୨୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଜେପିର ଶକ୍ତି କେନ୍ଦ୍ର ପ୍ରମୁଖମାନଙ୍କୁ ଭେଟିଥିଲେ ।

Related Posts