ଧାମନଗର ଉପନିର୍ବାଚନ; ସରିଲା ଭୋଟିଂ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଧାମନଗରର ଭୋଟର ଆଗାମୀ ଦିନ ପାଇଁ ନିଜର ନେତା ବାଛିବା ପକ୍ରିୟା ପୂର୍ଣ୍ଣ କରିଛନ୍ତି । ଶେଷ ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ପ୍ରତିଶତ ଭୋଟିଂ ହୋଇଛି ।

ସୁରଖୁରରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ଆରମ୍ଭରୁ କେତେକ ସ୍ଥାନରେ ଇଭିଏମ୍ ଅଚଳ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଠିକ୍ କରାଯାଇଥିଲା।

ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ଶେଷ ହୋଇଛି। ତେବେ ଯେଉଁମାନେ ଏବେବି ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିଯା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଅନ୍ୟପଟେ ନିର୍ବାଚନକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ ।

ସେପଟେ ମଇଦାନ ରେ ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ଲଢେଇ ୪ଜଣଙ୍କ ମଧ୍ୟରେ ହେଉଥିବା ଜଣା ପଡ଼ିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଓ ବିଜେଡିରୁ ଟିକେଟ ନ ପାଇ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେଉଛି।

ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଓ ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲଢେଇ କରୁଥିବା ବେଳେ ବିଜେପି ପ୍ରାର୍ଥୀ ସିମ୍ପାଥି ଭୋଟ ହାତେଇବାକୁ ଲକ୍ଷ ରଖିଛନ୍ତି। ସେହିପରି କଂଗ୍ରେସ ନିଜ ପକେଟ ଭୋଟ ଓ ବିଜେଡି ଏବଂ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢେଇ କରିଛି। ଅନ୍ୟପଟେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତାଙ୍କ ପ୍ରତି ଧୋକା ହୋଇଥିବା କହି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ। ତେବେ ଧାମନଗର ବାସୀ ନିଜର ନିଷ୍ପତ୍ତି ନେଇ ସାରିଛନ୍ତି। ଭୋଟ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ୍ ହୋଇ ସାରିଛି। ୩ ତାରିଖ ଗଣତି ପରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।

Related Posts