କାଲିଠୁ ବାଲିରେ G-20 ସମ୍ମିଳନୀ: ଆଜି ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କାଲିଠୁ ଆରମ୍ଭ ହେବ ଇଣ୍ଡୋନେସିଆର ବାଲିରେ G-20 ସମ୍ମିଳନୀ । ଏନେଇ ଏହି ସମ୍ମିଳନୀରେ ଯୋଗ ଦେବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ କରିବେ। ଖାଦ୍ୟ ଓ ଶକ୍ତି ସୁରକ୍ଷା ଉପରେ ପର୍ଯ୍ୟବେଷିତ ଏହି ବୈଠକର ଅଧ୍ୟକ୍ଷତା କରିବେ ଇଣ୍ଡୋନେଇସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ । ଏଥିରେ ଯୋଗ ଦେବା ଲାଗି ତିନି ଦିନିଆ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସୂଚନାଯୋଗ୍ୟ, ଆୟୋଜିତ ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ସମେତ G 20 ଦେଶର ପ୍ରତିନିଧି ଏଥିରେ ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି ।

ଏଥିସହିତ ଚୀନ ରାଷ୍ଟ୍ରପତିଙ୍କୁ ସ୍ବତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଭେଟିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଡିସେମ୍ବର ୧ରୁ ଜି ଟ୍ବେଣ୍ଟି ସମୂହର ନେତୃତ୍ବ ନେବ ଭାରତ। ପରବର୍ତ୍ତୀ ଶିଖର ସମ୍ମିଳନୀ ଭାରତରେ ହେବ। ତେଣୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ମୋଦି ଜି ଟ୍ବେଣ୍ଟିର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବେ।

Related Posts