ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଇସ୍କନ୍ର ଅଦିନିଆ ରଥଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା। ତେବେ ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍ରେ ଅଟଳ ରହିଛି ଇସ୍କନ୍। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା ଏବଂ ସ୍ନାନଯାତ୍ରା ଆୟୋଜନ କରୁଛି। ଏହା ଶାସ୍ତ୍ର ଓ ପରମ୍ପରାର ସମ୍ପୂର୍ଣ୍ଣ ବିରୋଧ କରିବା ସହ ବହୁ କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି। ଇସ୍କନ୍ କର୍ତ୍ତୃପକ୍ଷ ବାରମ୍ବାର ଏଭଳି ଅବମାନନାକରି ଅଦିନରେ ରଥଯାତ୍ରା କରୁଥିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଉକ୍ତ ପତ୍ରରେ ଗଜପତି ଉଲ୍ଲେଖ କରିଛନ୍ତି, ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଇସ୍କନ୍ ମଧ୍ୟରେ ଦୀର୍ଘବର୍ଷ ଧରି ଆଲୋଚନା ହୋଇଥିଲା।
ଇସ୍କନ୍ର ଗଭର୍ନିଂ ବଡି କମିଶନ ଅଧ୍ୟକ୍ଷ ୨୦୨୫ ଅକ୍ଟୋବର ୧୯ରେ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ ଯେ ଭାରତ ମଧ୍ୟରେ ଇସ୍କନ୍ ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିଠାରୁ ଆରମ୍ଭ ହେଉଥିବା ୯ଦିନିଆ ରଥଯାତ୍ରା ପାଳନ କରିବ। ମାତ୍ର ଭାରତ ବାହାରେ ସେମାନେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା ପାଳନ ଜାରି ରଖିବେ। ସେହିପରି ଇସ୍କନ୍ ଅଧ୍ୟକ୍ଷ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ବିଶ୍ୱର ସମସ୍ତ ଇସ୍କନ୍ ମନ୍ଦିରରେ ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଚଳିତ ବର୍ଷରେ ଇସ୍କନ୍ ବିଶ୍ୱର ୭୦ରୁ ଅଧିକ ସହରରେ ଶାସ୍ତ୍ର ଓ ପରମ୍ପରାରେ ନିର୍ଦ୍ଦିଷ୍ଟ ନ ଥିବା ତାରିଖରେ ରଥଯାତ୍ରା ପାଳନ କରୁଥିବା ଦେଖାଯାଇଛି। ସେହିପରି ବିଭିନ୍ନ ଦେଶର ଅନ୍ତତଃ ୧୦ଟି ସହରରେ ଜ୍ୟେଷ୍ଠ ପୂର୍ଣ୍ଣିମା ବ୍ୟତୀତ ଅନ୍ୟ ତାରିଖରେ ସ୍ନାନଯାତ୍ରା ପାଳନ କରାଯାଇଛି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବା ପାଇଁ ଗଜପତି ଅନୁରୋଧ କରିଛନ୍ତି।
