ଯାଜପୁରର ଗାନ୍ଧୀ ମଣିଷ ନିଶିଥ ଦାସ

ସତ୍ୟପାଠ ବ୍ୟୁରୋ: ଗାନ୍ଧିଙ୍କ ପ୍ରତି ପ୍ରେମ, ଗାନ୍ଧିଙ୍କ ଆଦର୍ଶ ତାଙ୍କୁ ଦେଇଛି ଏକ ନିଆରା ପରିଚୟ । ବୟସ ୬୫ ବର୍ଷ, ପରିଣତ ବୟସକୁ ବେଖାତିର କରି ଦୀର୍ଘ ୫୦ ବର୍ଷ ଧରି ସେ ନିଇତି ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ପୂଜା କରନ୍ତି । ସକାଳ ହେବା କ୍ଷଣି ଗାନ୍ଧିଙ୍କୁ ଗାଧୋଇ ଦିଅନ୍ତି, ତାଙ୍କୁ ପୋଛିପାଛି ଦିଅନ୍ତି ଆଉ ଫୁଲଧୂପ ଦେଇ ପୂଜ୍ୟ ବାପୁଙ୍କ ପୂଜାର୍ଚ୍ଚନା କରନ୍ତି । ଆମେ କହୁଛୁ ଯାଜପୁର ତାରାମଦନ ଅଞ୍ଚଳର ନିଶିଥ ଦାସଙ୍କ କଥା । ଯିଏ ସକାଳରୁ ସଞ୍ଜ ଯାଏ ଗାନ୍ଧିଙ୍କ ଗୀତକୁ ଗୁଣୁଗୁଣାଉଥିାନ୍ତି । ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ନିଶିଥ ବ୍ୟାଙ୍କ ଚାକିରିରୁ ଅବସର ପରେ ଗାନ୍ଧି ବାଣୀ ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ସେଥିପାଇଁ ତାଙ୍କୁ ସ୍ଥାନୀୟ ଲୋକେ ଗାନ୍ଧି ମଣିଷ ବୋଲି ଡାକୁଛନ୍ତି । ୪୦ ବର୍ଷ ତଳେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଦିଆଯାଇଥିବା ଶୁଖିଲା ଫୁଲ ନିଶିଥଙ୍କୁ ବ୍ୟଥିତ କରିଥିଲା । ଶୁଖିଲା ଫୁଲ ଜାତିର ପିତାଙ୍କ ପ୍ରତି ଅପମାନ ବୋଲି ସେ ଭାବିଥିଲେ । ଆଉ ସେବେଠାରୁ ସବୁଦିନ ରାତିରୁ ଉଠି ଫୁଲ ତୋଳି ସହରର ସବୁ ପ୍ରତିମୂର୍ତ୍ତିକୁ ସଫା କରି ସତେଜ ଫୁଲ ଦେଉଛନ୍ତି ନିଶିଥ । ତେବେ ଗାନ୍ଧୀଙ୍କ ଆଦର୍ଶକୁ ଅଧିକ ପ୍ରଚାର କରିବା ପାଇଁ ସେ ଅନେକ ଶିକ୍ଷାନୁଷ୍ଠାନରେ ନିଜ ଉଦ୍ୟମରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଯାହାକୁ ସେ ସବୁଦିନ ପୂଜା କରନ୍ତି ଆଉ ପିଲାଙ୍କୁ ଗାନ୍ଧିଙ୍କ କଥା କୁହନ୍ତି ।

ତେବେ ଅକ୍ଟୋବର ୨ ଆସିଲେ ଅନେକ ଲୋକଙ୍କର ହଠାତ ମନେ ପଡ଼ନ୍ତି ମହାତ୍ମା ଗାନ୍ଧି । ଲୋକ ଦେଖାଣିଆ ଗାନ୍ଧିଙ୍କୁ ପୂଜା କରନ୍ତି ତାଙ୍କ ପ୍ରତିମୂର୍ତ୍ତିରେ ଫୁଳମାଳ ଦିଅନ୍ତି । ହେଲେ ଗାନ୍ଧିଙ୍କ ଆଦର୍ଶକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଏ ମଣିଷ ଜଣଙ୍କ ଅଦିନିଆ ଗାନ୍ଧିପ୍ରେମୀଙ୍କ ପାଇଁ ଏକ ବଡ଼ ଉଦାହରଣ ।

Related Posts