ଅନୁଭବଙ୍କ ନାଟକବାଜି !

ସତ୍ୟପାଠ ବ୍ୟୁରୋ: ନାଟକବାଜି ଛାଡ଼ୁନାହାନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି । ଦୁଇ ଦୁଇ ଥର ସାଂସଦ ହୋଇଥିଲେ ବି ପୁରୁଣା ପେଶାକୁ ଭୁଲିପାରୁନାହାନ୍ତି ଅନୁଭବ । ନେତା ହେଲେଣି କିନ୍ତୁ ଅଭିନୟ ଛାଡ଼ିଲେନି । ‘ମୋ ସରକାର’ ଲାଗୁ ହେବାର 2 ଦିନ ପୂର୍ବରୁ ଅପରାଧୀ ପୋଲିସ ଭିତରେ ସମ୍ପର୍କ ଥିବା କହିଥିଲେ ଅନୁଭବ । ଏପରିକି ତାଙ୍କୁ ପୁରୀଘାଟ ଥାନା IIC ଦୁର୍ବ୍ୟବହାର କରିଥିବା ନେଇ ନିଜେ ସାଂସଦ ଟ୍ବିଟ୍‌ କରି ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ ।  କିନ୍ତୁ ଗତକାଲି ପୁରୀଘାଟ ଥାନାରେ ଦେଇଥିବା FIRରେ IIC ନାଁ ନଥିଲା । 29 ତାରିଖରେ ପୋଲିସ କମିସନରଙ୍କ ନିକଟରେ ଗୁହାରୀ ଆଉ ଠିକ୍ 2 ଦିନ ପରେ IIC ରଶ୍ମୀରଞ୍ଜନ ସାହୁ ଭଲ ହୋଇଗଲେ କିପରି । କେଉଁ କାରଣ ପାଇଁ FIRରେ IICଙ୍କ ନାଁ ରହିଲା ନାହିଁ । ଅନୁଭବଙ୍କ ଉପରେ ‘ମୋ ସରକାର’ ଚାପ ରହିଲା ନାହିଁ ତ ? କାରଣ ଅନୁଭବଙ୍କ ଟ୍ବିଟ୍‌ ପରେ ‘ମୋ ସରକାର’ ଏବଂ ନବୀନଙ୍କ 5T ଉପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା ।

ଗତ 29 ତାରିଖରେ ପୁରୀଘାଟ ଥାନା ନନ୍ଦସାହିରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କ ଘର ସାମ୍ନାରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଅନୁଭବଙ୍କ ସେମତ ମଦନ କୁମାର ଆସଙ୍କୁ ମିଶାଇ ଦୁଇ ଜଣ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ମନଜିତ ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ମନଜିତ ଓ ଅନ୍ୟ 2ଜଣ ସହଯୋଗୀ ଥିବା ଏତଲାରେ ଦର୍ଶାଯାଇଛି । ମଦନଙ୍କୁ ଆକ୍ରମଣ ଓ ଗାଳିଗୁଲଜ ଘଟଣାରେ ମନଜିତଙ୍କ ସମେତ ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନଙ୍କ ବିରୋଧରେ ଦଫା 341, 223, 294, 307, 379, 506 ଓ 34ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେହିପରି ସାଂସଦ ଅନୁଭବଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ସାମ୍ନାରେ ଗଣ୍ଡଗୋଳ ହେବା ଶୁଣି ସେ ବାହାରକୁ ଆସିଥିଲେ ଆଉ ଘଟଣାରେ ହସ୍ତକ୍ଷେପ କରିବାରୁ ମନଜିତ ଓ ତାଙ୍କର 2 ସହଯୋଗୀ ତାଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଘଟଣାସ୍ଥଳରେ ପୁରୀଘାଟ ଥାନା ଆଇଆଇସି ପହଞ୍ଚିଥିଲେ । ସେଠାରେ ଆଇଆଇସି ରଶ୍ମୀରଞ୍ଜନ ସାହୁ ଅନୁଭବଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସାଂସଦ ଟ୍ବିଟ୍‌ କରିଥିଲେ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଗତକାଲି ସାଂସଦଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା । ଯେଉଁଥିରେ IICଙ୍କ ବିରୋଧରେ ଅଭିଯୋଗ ନଥିବା ସ୍ପଷ୍ଟ କରିଥିଲେ କଟକ ଡିସିପି ଅଖିଳେଶ୍ବର ସିଂହ ।

ତେବେ ଏଠି ପ୍ରଶ୍ନ ଉଠୁଛୁ ଅଭିନୟ କିଏ କରୁଛି ?

ନବୀନ ବାବୁ ନା ପୁରୁଣା ପେଶାଦାର ଅନୁଭବ ମହାନ୍ତି ?

ବାସ୍ତବରେ ପୁରୀଘାଟ ଥାନା IICଙ୍କର ବିବାଦୀୟ ଭୂମିକା ଥିଲା  ନା ନାହିଁ ?

ନା ନିଜେ ହିରୋ ହେବାକୁ ଯାଇ ଏଭଳି ଟ୍ବିଟ୍ କଲେ ଅନୁଭବ ?

Related Posts