ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା; ବିଳମ୍ବିତ ରାତି ପର୍ଯ୍ୟନ୍ତ ହେଲା ପୁଲିସ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ ଏହା ଭୁଲ ବଶତ ଗୁଳି ଫୁଟିବାରୁ ମୃତ୍ୟୁ ଘଟିଥିବାର କୁହାଯାଉଥିଲା । ହେଲେ ବର୍ତ୍ତମାନ ଆଇଆଇସିଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହା ମଧ୍ୟରେ ଗତକାଲି ରାତି ଅଧରେ ଏହି ମାମଲାରେ ଜଡ଼ିତ ଥିବା ଅଫିସରଙ୍କ ଏକ ବୈଠକ ବସିଥିଲା । ଭଂଜନଗର ନିକଟସ୍ଥ ସାଳୁଆପଲ୍ଲୀ ଫରେଷ୍ଟ ଗେଷ୍ଟ ହାଉସରେ ରାତି ଅଧରେ ଏହି ବୈଠକ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରାୟ ରାତି ୧୨ଟା ପର‌୍ୟ୍ୟନ୍ତ ଏହି ବୈଠକ ଚାଲିଥିଲା । ସେପଟେ ଆଇଆଇସିଙ୍କୁ ଗୁଳି ବାଜିବା ସମୟରେ ସେଠାରେ ଉପସ୍ଥିତ ଥିବା ଭଞ୍ଜନଗର ଏସଡିପିଓ ଶୁଭ୍ରାଂସୁ ଶେଖର ମିଶ୍ର ଓ ଭଂଜନଗର ଆଇଆଇସି ଧୀରେଶ କୁମାର ଦାସ ଉପସ୍ଥିତ ଥିଲେ । ସେମାନଙ୍କ ସହ ଜଣେ ଅତିରିକ୍ତ ଏସ୍ପି ଓ ଆଉ କିଛି ପୋଲିସ ଅଧିକାରୀ ମଧ୍ୟ ବୈଠକରେ ଥିଲେ ।

ଏଭଳି ଏକ ନିଛାଟିଆ ଜାଗାରେ ପୋଲିସ ଅଫିସରଙ୍କ ରାତି ଅଧିଆ ବୈଠକକୁ ନେଇ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଏସଡିପିଓ କହିଥିଲେ ଯେ, ଆଇଆଇସି ଦେବ କୁମାରଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ତାଙ୍କ ଭଉଣୀ ଏକ ଫୋନ୍ କଲ କରିଥିବାରୁ ସେମାନେ ସେଠାକୁ ଯାଇଥିଲେ । ତାଙ୍କ ଭଉଣୀ କୁଆଡେ କହିଥିଲେ ଯେ, ଦେବ କୁମାର ଗମାଙ୍ଗଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ ଏବଂ ସେ କିଛି ବି କରିପାରନ୍ତି । ତେଣୁ ତାଙ୍କୁ ପାଖକୁ ପୋଲିସ ଅଫିସରଙ୍କୁ ପଠାଇବା ପାଇଁ କହିଥିଲେ । ଏସଡିପିଓ କହିଛନ୍ତି ଏହି ଫୋନ୍ କଲ ପାଇ ସେମାନେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ପାଖକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ପେଟରେ କିପରି ଗୁଳି ବାଜିଲା ତାହା ସ୍ପଷ୍ଟ ଭାବରେ କେହି କହୁନାହାନ୍ତି । ତାଙ୍କର ଏହି ବୟାନରେ ଅନେକ ପ୍ରଶ୍ନ ମଧ୍ୟ ଉପୁଜିଛି । ଯାହା ଆଇଆଇସିଙ୍କ ମୃତ୍ୟୁକୁ ଏକ ସନ୍ଦେହଘେରକୁ ଢ଼େଲି ଦେଉଛି । ହେଲେ ବର୍ତ୍ତମାନ ଦେଖିବାର ବିଷୟ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ସତ୍ୟ କେବେ ସାମ୍ନାକୁ ଆସୁଛି ।

Related Posts