ବିସିସିଆଇକୁ ସୁପ୍ରିମକୋର୍ଟରୁ ଅଶ୍ଵସ୍ଥି, ନିଜ ପଦରେ ଆଗାମୀ ୩ବର୍ଷ ଯାଏ ରହି ପାରିବେ ଗାଙ୍ଗୁଲି ଓ ଜୟ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟରୁ ବିସିସିଆଇକୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ବର୍ତ୍ତମାନ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ଅଧ୍ୟକ୍ଷ ରହିପାରିବେ। ଏହା ବ୍ୟତୀତ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସମ୍ପାଦକ ପଦରେ ରହିପାରିବେ । ବାସ୍ତବରେ ସୁପ୍ରିମକୋର୍ଟ ବିସିସିଆଇ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ ବୋର୍ଡ ପ୍ରଶାସକଙ୍କୁ ବାଧ୍ୟତାମୂଳକ ‘କୁଲିଂ ଅଫ୍ ପିରିୟଡ୍’ ଧାରାକୁ ସଂଶୋଧନ କରିବାକୁ ବିସିସିଆଇର ଆବେଦନକୁ ଅନୁମତି ଦେଇଛନ୍ତି। ଏହି ସଂଶୋଧନ ହେଲେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ ବୋର୍ଡର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବିରେ ଲଗାତାର ୧୨ ବର୍ଷ ରହିପାରିବେ ଏହାର ଅର୍ଥ ସୌରଭ ଗାଙ୍ଗୁଲି ଓ ଜୟ ଶାହା ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ବିସିସିଆଇର ପଦପଦବୀରେ ରହିପାରିବେ।

ସୂଚନାଯୋଗ୍ୟ ଯେ ଲୋଧା କମିଟି ସୁପାରିସ ଅନୁସାରେ ବିସିସିଆଇ ସମ୍ବିଧାନରେ ଥିବା ‘କୁଲିଂ ଅଫ୍ ପିରିୟଡ୍’ ଧାରା ଅନୁସାରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ ବୋର୍ଡର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବିରେ ଲଗାତାର ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। କୌଣସି ବ୍ୟକ୍ତି କ୍ରମାଗତ ୬ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ୍‌ରେ ଯିବାକୁ ହେବ। ଅର୍ଥାତ୍ ଏହି ୩ ବର୍ଷ ଭିତରେ ସେ ଭାରତୀୟ କ୍ରିକେଟ୍ ପରିଚାଳନା‌ର କୌଣସି ପଦବିରେ ରହିପାରିବେ ନାହିଁ।

ଏହି ନିୟମ ବଳବତ୍ତର ରହିଲେ ବିସିସିଆଇର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ନିଜ ନିଜ ପଦ ଛାଡ଼ିବାକୁ ହେବ। କିନ୍ତୁ ଆଜି ସୁପ୍ରିମକୋର୍ଟ ଏହାକୁ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି।

Related Posts