
ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଭାରତୀୟ କ୍ରିକେଟର୍ମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ବେ ଦଳର ଚୟନ ବେଳେ ଫିଟ୍ ନଥିଲେ ମଧ୍ୟ ନିଜକୁ ଫିଟ୍ ପ୍ରମାଣିତ କରିବାକୁ ଏହି ଇଞ୍ଜେକ୍ସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ ସମୟରେ ଚେତନ ଏଭଳି ବୟାନ ଦେଇଛନ୍ତି।
କେବଳ ଏତିକି ନୁହେଁ, ଭାରତୀୟ ଦଳର କିଛି ବଡ଼ କ୍ରିକେଟର ବି ଇଞ୍ଜେକ୍ସନ୍ ନେଇଥା’ନ୍ତି। ଏପରିକି ଟିମ୍ ବାହାରେ ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଉକ୍ତ ଖେଳାଳିମାନେ ଆହତ ହୁଅନ୍ତି, ସେମାନଙ୍କ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକ୍ସନ୍ ଯୋଗାଇ ଦିଅନ୍ତି ବୋଲି ଚେତନ କହିଛନ୍ତି। ସେହିପରି ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି। କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ। କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ସୁସ୍ଥ ହୋଇନଥିଲେ ମଧ୍ୟ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନ୍ସିଏ) ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ଓ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି ଚେତନ କହିଛନ୍ତି।
ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କ୍ରିକେଟ୍ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ଯେଉଁ ଖେଳକୁ ଭାରତରେ ଧର୍ମ ଓ କ୍ରିକେଟର୍ଙ୍କୁ ଭଗବାନ ଭାବେ ବିବେଚନା କରାଯାଉଛି, ସେଠାରେ ଦଳରେ ସ୍ଥାନ ପାଇବାକୁ ଖେଳାଳିମାନେ ଇଞ୍ଜେକ୍ସନ୍ ନେଉଥିବା କଥା ଜଣାପଡ଼ିବା ପରେ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିଛି।
କେବଳ ଏତିକି ନୁହେଁ ଏହି ଷ୍ଟିଙ୍ଗ ଅପରେସନରେ ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ବଡ଼ ମନ୍ତବ୍ୟ ଦେଇଛନ୍ତି ଚେତନ। ୨୦୨୧ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ କୋହଲି ଦଳର ନେତୃତ୍ବ ଛାଡ଼ିବା ପାଇଁ ଚାହିଥିଲେ। ବିଶ୍ବକପ୍ ପରେ ଭାରତୀୟ ଦଳ ତିନି ଟେଷ୍ଟ ଓ ଦିନିକିଆ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଯିବାର ଥିଲା। କିନ୍ତୁ ଚେତନଙ୍କ ନେତୃତ୍ବାଧୀନ ଚୟନ ସମିତି କୋହଲିଙ୍କୁ ଦିନିକିଆ ଦଳର ନେତୃତ୍ବରୁ ହଟାଇ ଦେଇଥିଲା। ଏହାକୁ ନେଇ ଅନେକ ଆଲୋଚନା କରାଯାଇଥିଲା। କୋହଲିଙ୍କୁ ମଧ୍ୟ ଏହି ଦାୟିତ୍ବରୁ ହଟାଯିବା ଆଗରୁ ଅବଗତ କରାଯାଇନଥିବା ଜଣାପଡ଼ିଥିଲା। ଏସଂପର୍କରେ ସାମ୍ବାଦିକ ସମ୍ମିଳନୀରେ କୋହଲି ଯାହା କହିଥିଲେ, ତାହାକୁ ଗାଙ୍ଗୁଲି ଗ୍ରହଣ କରିପାରିନଥିଲେ। ପରେ ଗାଙ୍ଗୁଲି ଟ୍ବେଣ୍ଟି-୨୦ ଦଳର ନେତୃତ୍ବରୁ ଓହରିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କୋହଲିଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କୋହଲି ଅଗ୍ରାହ୍ୟ କରିଦେଇଥିଲେ। ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଥିଲା। କିନ୍ତୁ ଏହି ଘଟଣା ଉପରୁ ପରଦା ହଟାଇବାକୁ ଯାଇ ଚେତନ କହିଛନ୍ତି ଯେ, କୋହଲି ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଛାଡ଼ନ୍ତୁ ବୋଲି ଗାଙ୍ଗୁଲି ଚାହୁଁନଥିଲେ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ବି ତାହାକୁ କୋହଲି ଠିକ୍ ଭାବେ ବୁଝି ପାରିନଥିଲେ। ଯେଉଁଥିପାଇଁ ଦିନିକିଆ ଦଳର ନେତୃତ୍ବରୁ ତାଙ୍କୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କୋହଲି ଧରିନେଇଥିଲେ। ଏହାଫଳରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲିଙ୍କ ମାନହାନି କରିବାକୁ ଚାହୁଁଥିଲେ କୋହଲି। କିନ୍ତୁ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଜଣେ ଅଧିନାୟକଙ୍କୁ ରଖାଯିବାକୁ ଚୟନ ସମିତି ଚାହୁଁଥିବା କୋହଲିଙ୍କୁ ବୁଝାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଯଦିଓ କୋହଲି ଏବେ କୌଣସି ଦଳର ନେତୃତ୍ବ ନେଉନାହାନ୍ତି, ତଥାପି ଦଳରେ ତାଙ୍କ କଥା ଚାଲୁଛି। ଲୋକଙ୍କୁ ଦେଖାଇବା ପାଇଁ ତାଙ୍କୁ ନେତୃତ୍ବରୁ ବାହାର କରାଯାଇଛି, କିନ୍ତୁ ରୋହିତ ଦଳର ଅଧିନାୟକ ଥିବା ସତ୍ତ୍ବେ ସବୁ ନିଷ୍ପତ୍ତି କୋହଲି ନେଉଥିବା ଚେତନ କହିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ, କିନ୍ତୁ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଈର୍ଷା ଓ ଅହଂକାର ଭାବ ରହିଛି ବୋଲି ସେ କହିଛନ୍ତି।
ଚେତନ ଆହୁରି କହିଛନ୍ତି ଯେ, ଶୁବମନ ଗିଲ୍ଙ୍କୁ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ଦେଖି ସେ ହିଁ ଦଳର ଲମ୍ବା ସମୟ ପାଇଁ ନେତୃତ୍ବ ନେଇପାରିବେ ଏବଂ ରୋହିତ ଧୀରେ ଧୀରେ ଏହି ସୀମିତ ଓଭର ଦଳରୁ ସଂପୂର୍ଣ୍ଣ ଭାବେ ହଟିଯିବେ ବୋଲି ଚୟନ ସମିତି ଚାହୁଁଥିଲା। ହାର୍ଦ୍ଦିକ ଯେତେବେଳେ ବି ଦିଲ୍ଲୀ ଆସୁଥିଲେ ଚେତନଙ୍କ ଘରକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ। ଏପରିକି ହାର୍ଦ୍ଦିକଙ୍କ ଉପସ୍ଥିତିରେ ରୋହିତଙ୍କ ସହିତ ମଧ୍ୟ ଚେତନ ଅଧିକ ସମୟ ଫୋନ୍ରେ ଆଲୋଚନା କରୁଥିଲେ। ଚେତନଙ୍କ ଅନୁସାରେ, ଘରେ ରହି ଯେଉଁ କଥା ଖୋଲିକି ଆଲୋଚନା କରିହେବ, ତାହା ଅଫିସ୍ରେ ହୋଇପାରିବନି। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଯୁବ ଖେଳାଳିମାନଙ୍କୁ ସାମିଲ କରାଯିବା ପଛରେ ତାଙ୍କ ହାତ ଥିବା ଚେତନ ସ୍ବୀକାର କରିଛନ୍ତି। ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଗିଲ୍ ଇତ୍ୟାଦି ଖେଳାଳିମାନଙ୍କୁ ସେ ହିଁ ନିଜେ ଦଳରେ ଭର୍ତ୍ତି କରାଇଥିବା ଚେତନ ଏହି ଷ୍ଟିଙ୍ଗ ଅପରେସନ ଭିଡ଼ିଓରେ ସ୍ବୀକାର କରିଛନ୍ତି।