ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ନିଆଁ ଲାଗି ଜଳିଗଲା ଅନେକ ଆସବାବପତ୍ର। ଅଳ୍ପକେ ବାର୍ତ୍ତିଗଲେ ଛାତ୍ର ଛାତ୍ରୀ। ପିଲାଙ୍କ ପାଇଁ ରୋଷେଇ ଚାଲିଥିବା ସମୟରେ ଘଟିଛି ଏଭଳି ଅଘଟଣ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଅଙ୍ଗନବାଡି-୨ କେନ୍ଦ୍ରରୁ ସାମ୍ନାକୁ ଆସିଛି ଏହି ଘଟଣା । ତେବେ ଏନେଇ ଖବର ପାଇବାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଅଙ୍ଗନବାଡିରେ କେନ୍ଦ୍ରରେ ପିଲାଙ୍କ ପାଇଁ ରୋଷେଇ ଚାଲିଥିଲା । ଏହି ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରଟି ଫାଟିଯାଇଥିଲା । ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ଅଧିକ ଲାଗିବା ଦେଖି ପିଲାମାନଙ୍କୁ ତୁରନ୍ତ ବାହାରକୁ ଆଣିଦେଇଥିଲେ ଅଙ୍ଗନବାଡି ଦିଦି । ଉପସ୍ଥିତି ବୁଦ୍ଧି ଲାଗି ବଡଧରଣ ଅଘଟଣରୁ ବର୍ତ୍ତିଯାଇଛନ୍ତି ସମସ୍ତେ । କିନ୍ତୁ ରୋଷେଇ ଘରର ସାମଗ୍ରୀ ଓ ଶ୍ରେଣୀ ଗୃହରେ ବହି ଏବଂ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ଥାନୀୟ ବିଡିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।





