ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କିଛି ଦିନ ହେବ ତେଲ ଦର ବଢିବାକୁ ଲାଗୁଚି | ଯାହାକୁ ନେଇ ଅନ୍ୟ ସମସ୍ତ ସାମଗ୍ରୀର ଦର ମଧ ଆକାଶ ଛୁଆ ରହୁଛି | ତେବେ ବଢୁଥିବା ତେଲେ ଦରକୁ ନେଇ ବିରୋଧୀଙ୍କ ଟାର୍ଗେଟ ର ଶିକାର ହୋଇଛି କେନ୍ଦ୍ର | ତେବେ କେନ୍ଦ୍ର ଅନ୍ତର୍ଜାତୀୟ ବଜାରକୁ ଦାୟୀ କହୁଥିବା ବେଳେ, ଭାରତର ପେଟ୍ରୋଲ ଦର ପଡୋଶୀ ଦେଶଠାରୁ ବେଶ ଅଧିକ ରହିଛି । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୧୦ ଟଙ୍କା ଉପରେ ରହିଛି । ପାକିସ୍ତାନରେ ପେଟ୍ରୋଲ ଦର ପାଖାପାଖି ୬୩ ଟଙ୍କା ରହିଛି । ଶ୍ରୀଲଙ୍କାରେ ୭୬ ଟଙ୍କା, ବାଂଲାଦେଶରେ ୭୯ ଟଙ୍କା ରହିଛି ପେଟ୍ରୋଲ ଦର । ସେହିପରି ଭୁଟାନରେ ୮୬ ଟଙ୍କା ଓ ନେପାଳରେ ପେଟ୍ରୋଲ ଲିଟର ପ୍ରତି ଦର ରହିଛି ୯୭ ଟଙ୍କା । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ଅନ୍ତର୍ଜାତୀୟ ବଜାର ଦାୟୀ ।

୨୦୨୧ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ କେଉଁ ଦେଶରେ ‌ପେଟ୍ରୋଲ ଦର କେତେ ବଢ଼ିଛି ତାହାର ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଉପରୋକ୍ତ ସମୟ ମଧ୍ୟରେ ଆମେରିକାରେ ପେଟ୍ରୋଲ ଦର ୫୧ ପ୍ରତିଶତ, କାନାଡ଼ାରେ ୫୨ ପ୍ରତିଶତ, ଜର୍ମାନୀରେ ୫୫ ପ୍ରତିଶତ, ବ୍ରିଟେନରେ ୫୫ ପ୍ରତିଶତ, ଫ୍ରାନ୍ସରେ ୫୦ ପ୍ରତିଶତ ଏବଂ ସ୍ପେନରେ ୫୮ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ଏହା ତୁଳନାରେ ଭାରତରେ ପେଟ୍ରୋଲ ଦର ୫ ପ୍ରତିଶତ ବୃଦ୍ଧି ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ଆଜି ବି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି । ୧୬ ଦିନରେ ୧୪ ଥର ତେଲ ଦର ବୃଦ୍ଧି ପାଇଲାଣି । ୧୪ ଦିନ ଭିତରେ ଭୁବନେଶ୍ୱରରେ ପେଟ୍ରୋଲ ୧୦ ଟଙ୍କା ୭୦ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୫୦ ପଇସାରେ ପହଂଚିଛି । ସେହିପରି ଡିଜେଲ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୨୪ ପଇସାରେ ପହଂଚିଛି । ପ୍ରାୟ ସାଢ଼େ ୪ମାସ ମାସ ପରେ ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିଲା ।

ମାର୍ଚ୍ଚ ୨୧ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୪୦ ଡଲାର ଥିଲା । ଏବେ ଏହା ପ୍ରାୟ ୧୦୦ ଡଲାରକୁ ହ୍ରାସ ପାଇଛି । ହେଲେ ଭାରତୀୟ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଜାରି ରଖିଛନ୍ତି ।