କୋଭିଡ- ୧୯ ଔଷଧର ବେଆଇନ୍ ଜମାଖୋରି କରିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ୍ ଦୋଷୀ ସାବ୍ୟସ୍ତ : ଦିଲ୍ଲୀ ହାଇକୋର୍ଟଙ୍କୁ ଡ୍ରଗସ୍ କଣ୍ଟ୍ରୋଲରଙ୍କ ସୂଚନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବିରାଟ ବଡ ଝଟକା ଲାଗିଛି। ମହାମାରୀ ଭଳି ସଙ୍କଟ ସମୟରେ ଗୌତମ ଗମ୍ଭୀର ଫାଉଣ୍ଡେସନ୍ କରୋନା ଔଷଧ ଫାବି ଫ୍ଲୁ ର ବେଆଇନ ଜମାଖୋରୀ କରିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲର ଗୁରୁବାର ଦିନ ଦୋଷୀ ସାବ୍ୟସ୍ତ କରିଛି। ଏ ସମ୍ପର୍କରେ ଡ୍ରଗସ୍ କଣ୍ଟ୍ରୋଲର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। ଡ୍ରଗ୍ କଣ୍ଟ୍ରୋଲର ହାଇକୋର୍ଟଙ୍କୁ କହିଛନ୍ତି ଯେ ଫାଉଣ୍ଡେସନ ଏବଂ ଡ୍ରଗ୍ ଡିଲରଙ୍କ ବିରୋଧରେ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ଡ୍ରଗସ୍ କଣ୍ଟ୍ରୋଲର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି। ୬ ସପ୍ତାହ ମଧ୍ୟରେ ଏହି ମାମଲା ଗୁଡ଼ିକର ଅଗ୍ରଗତି ସମ୍ପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ କଣ୍ଟ୍ରୋଲରକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୯ କୁ ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ମେ ୨୫ ରେ, ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କୁ କୋଭିଡ -19 ଚିକିତ୍ସାରେ ବ୍ୟବହୃତ ଔଷଧର ଅଭାବ ଦେଖାଦେଇଥିବା ବେଳେ ରାଜନେତାଙ୍କ ଦ୍ବାରା ବହୁ ପରିମାଣରେ ଔଷଧ କେଉଁଠୁ ଆଣି ବାଣ୍ଟଛନ୍ତି ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଗମ୍ଭୀର ଜଣେ ଜାତୀୟ ସ୍ତରୀୟ ଖେଳାଳି କିମ୍ବା ଜଣେ ରାଜନେତା ହୋଇଥାଇ ପାରନ୍ତି। ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାଇ ପାରନ୍ତି। କିନ୍ତୁ ମହାମାରୀ ଭଳି ଭୟଙ୍କର ପରିସ୍ଥିତିରେ ଯେତେବେଳ ମାର୍କେଟରେ ଏହି ଔଷଧର ଘୋର ଅଭାବ ଥିଲା ସେତେବେଳେ ଗମ୍ଭୀର ବହୁ ପରିମାଣରେ ଔଷଧ କିଣି ଠୁଳ କରିବା କେତେ ଠିକ୍ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଜଷ୍ଟିସ୍ ଭିପିନ୍ ସାଙ୍ଘି ଏବଂ ଜଷ୍ଟିସ୍ ଜସମିତ ସିଂଙ୍କ ଏକ ବେଞ୍ଚ କହିଥିଲେ ଯେ ଡ୍ରଗ୍ କଣ୍ଟ୍ରୋଲର ଏହାର ଯାଞ୍ଚ କରିବା ଉଚିତ ଯେ ଯେଉଁ ସମୟରେ ଫାବି ଫ୍ଲୁ ଭଳି ଜରୁରୀ ମେଡିସିନର ଅଭାବ ଥିଲା ସେତେବେଳେ ଜଣେ ବ୍ୟକ୍ତି ଦୁଇ ହଜାର ଡୋଜ୍ କିଣିବା କିପରି ସମ୍ଭବ ହେଲା।

Related Posts