‘ଖାଲି ଶବ୍ଦରେ ନ୍ୟାୟ ମିଳିବ ନାହିଁ, ସର୍ବ ସମ୍ମୁଖରେ ଫାଶୀ ଦେବା ଉଚିତ୍’: ଦିଲ୍ଲୀ ଏସିଡ୍ ମାଡ଼ ନେଇ ଗମ୍ଭୀରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୫/୧୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଜଣେ ସ୍କୁଲ ଛାତ୍ରୀଙ୍କୁ ସର୍ବସାଧାରଣରେ ଏସିଡ୍ ମାଡ଼ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦିଲ୍ଲୀର ଦ୍ୱାରକା ମୋଡ ପାଖରେ ବୁଧବାର ସକାଳେ ଜଣେ ନାବାଳିକା ଉପରକୁ ଏସିଡ୍ ଆଟାକ୍ ହୋଇଛି । ନାବାଳିକାଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଲୋକମାନେ ତୀବ୍ର ନିନ୍ଦା କରୁଛନ୍ତି । ପୂର୍ବତନ କ୍ରିକେଟର ତଥା ଦିଲ୍ଲୀରୁ ବିଜେପି ସାଂସଦ ଗୌତମ ଗମ୍ଭୀର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏପରି ଲୋକଙ୍କ ସାର୍ବଜନିନ ଭାବେ ଫାଶୀ ଦିଆଯିବା ଉଚିତ୍ ।

ଗୌତମ ଗମ୍ଭୀର ଛାତ୍ରୀଙ୍କୁ ଏସିଡ୍ ମାଡ କରିଥିବା ଲୋକକୁ ସର୍ବସମ୍ମୁଖରେ ଫାଶୀ ଦେବାକୁ କହିଛନ୍ତି । ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ, କେବଳ ଶବ୍ଦରେ କହିଲେ କୌଣସି ନ୍ୟାୟ ମିଳିପାରିବ ନାହିଁ । ଆମକୁ ଏହି ପଶୁମାନଙ୍କ ମଧ୍ୟରେ ଡର ସୃଷ୍ଟି କରିବାକୁ ପଡିବ । ଦ୍ୱାରକାରେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ କରିଥିବା ପିଲାକୁ ସାର୍ବଜନିନ ଭାବେ ଫାଶୀ ଦିଆଯିବା ଉଚିତ୍ ।

ତେବେ ଏହି ଘଟଣା ନେଇ ଦ୍ୱାରକା ଡିସିପି ଏମ ହର୍ଷବର୍ଦ୍ଧନ ଜଣାଇଛନ୍ତି ଯେ, ୧୭ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆଟାକ୍ ମାମଲାରେ ୩ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି । ନାବାଳିକାଙ୍କ ଚିକିତ୍ସା ଚାଲିଛି । ପୋଲିସ କହିଛି କି ସକାଳ ୯ଟାରେ ଘଟଣା ନେଇ ସୂଚନା ମିଳିଥିଲା । ସ୍ୱାତୀ ମାଲିବାଲ ଏସିଡ୍ ଆଟାକକୁ ନେଇ କହିଛନ୍ତି କି କଟକଣା ସତ୍ତ୍ୱେ ଏସିଡ୍ ପରିବା ଭଳି ବିକ୍ରି ହେଉଛି । ଟ୍ୱିଟରରେ ସେୟାର କରାଯାଇଥିବା ଏକ ଭିଡିଓରେ ମାଲିୱାଲ କହିଛନ୍ତି କି ଏସିଡର ବିକ୍ରି ଉପରେ ପ୍ରତିବନ୍ଧକକୁ କଡା କରିବା ଉଚିତ୍ ।

Related Posts