ସମଲିଙ୍ଗୀ ଓକିଲ ସୌରଭ କ୍ରିପାଲ ହାଇକୋର୍ଟ ବିଚାରପତି ହେବା ଉଚିତ; ନିଜ ପ୍ରସ୍ତାବକୁ ଦୋହରାଇଲେ ସୁପ୍ରିମକୋର୍ଟ କଲେଜିୟମ

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ସୌରଭ କ୍ରିପାଲଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଦୋହରାଇଛନ୍ତି। ପୂର୍ବରୁ ଏହି ଓକିଲଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହାପରେ ବି କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ସୌରଭ କ୍ରିପାଲ ଜଣେ ସମଲିଙ୍ଗୀ ହୋଇଥିବାରୁ କେନ୍ଦ୍ର ସରକାର ଏ ନେଇ ଆପତ୍ତି ଉଠାଇ କଲେଜିୟମ ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

ତେବେ ଗତ ଜାନୁୟାରୀ ୧୮ ତାରିଖରେ ଏକ ପ୍ରସ୍ତାବରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ କେ.ଏମ ଜୋସେଫଙ୍କୁ ନେଇ ଗଠିତ କଲେଜିୟମ ସୌରଭ କ୍ରିପାଲଙ୍କ ନାମକୁ ଦୋହରାଇବା ସହିତ କହିଛନ୍ତି ଯେ, ସୌରଭ ତାଙ୍କ ଆଭିମୁଖ୍ୟ ବିଷୟରେ ଖୋଲା ମତ ରଖିଛନ୍ତି। ନ୍ୟାୟପାଳିକା ପାଇଁ ଜଣେ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ସେ ତାଙ୍କର ଆଭିମୁଖ୍ୟ ବିଷୟରେ କିଛି ଗୁପ୍ତ ରଖି ନାହାନ୍ତି। ତେଣୁ ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ଅଧିକାରକୁ ଦୃଷ୍ଟିରେ ରଖି ତାଙ୍କର ପ୍ରାର୍ଥୀପତ୍ରକୁ ପ୍ରତ୍ୟାଖ୍ୟାନ କରିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ସାମ୍ବିଧାନିକ ନୀତି ବିରୁଦ୍ଧ ଅଟେ।

ତେବେ ବିଚାରପତି ଭାବେ କ୍ରିପାଲଙ୍କ ନିଯୁକ୍ତି ପ୍ରସ୍ତାବ ଗତ ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ବିଚାରାଧୀନ ରହିଛି। ଏହି ପ୍ରସ୍ତାବକୁ ଗତ ୨୦୧୭ ମସିହା ଅକ୍ଟୋବର ୧୩ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ସର୍ବସମ୍ମତି କ୍ରମେ ସୁପାରିଶ କରିଥିଲା ଏବଂ ୨୦୨୧ ମସିହା ନଭେମ୍ବର ୧୧ ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଅନୁମୋଦନ ପାଇଥିଲା। ଏନେଇ ସୁପ୍ରିମକୋର୍ଟ କଲେଜିୟମ କହିଛି ଯେ କ୍ରିପାଲଙ୍କୁ ଗଣମାଧ୍ୟମ ସହ କଥାବାର୍ତ୍ତା ନକରିବାକୁ ପରାମର୍ଶ ଦିଆଯାଇଛି ଯେଉଁଥିରେ କଲେଜିୟମର ସୁପାରିଶକୁ ପୁନର୍ବିଚାର ପାଇଁ ପଠାଯାଇପାରେ। ତେବେ ଏହା ମଧ୍ୟ କୁହାଯାଇଛି ଯେ କ୍ରିପାଲଙ୍କର ଦକ୍ଷତା, ଅଖଣ୍ଡତା ଏବଂ ବୁଦ୍ଧି ରହିଛି। ତାଙ୍କର ଏହି ନିଯୁକ୍ତି ଦିଲ୍ଲୀ ହାଇକୋର୍ଟରେ ଅନ୍ତର୍ଭୂକ୍ତ ଏବଂ ବିବିଧତା ପ୍ରଦାନ କରିବ।

ତେବେ କ୍ରିପାଲଙ୍କ ନିଯୁକ୍ତିକୁ ନେଇ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ କ୍ରିପାଲଙ୍କ ସମଲିଙ୍ଗୀ ପାର୍ଟନର ତଥା ସ୍ୱିସ୍ ନାଗରିକଙ୍କ ଉପରେ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ପ୍ରଶ୍ନ ଉପରେ କଲେଜିୟମ୍ କହିଛି ଯେ, କ୍ରିପାଲଙ୍କ ସାଥୀଙ୍କ ଆଚରଣ ଜାତୀୟ ସୁରକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଗୁଇନ୍ଦା ବିଭାଗ ଗବେଷଣା ଏବଂ ବିଶ୍ଳେଷଣ ୱିଙ୍ଗ (RAW)ର ରିପୋର୍ଟ ଜାତୀୟ ସୁରକ୍ଷା ଉପରେ ଶ୍ରୀ ସୌରଭ କ୍ରିପାଲଙ୍କ ସାଥୀଙ୍କ ବ୍ୟକ୍ତିଗତ ଆଚରଣ କିମ୍ବା ଅନ୍ୟ କୌଣସି ଆଚରଣ ସମ୍ବନ୍ଧରେ କୌଣସି ଆଶଙ୍କାକୁ ପ୍ରତିଫଳିତ କରି ନାହିଁ ବୋଲି କଲେଜିୟମ୍ କହିଛନ୍ତି। ଏହାସହିତ କ୍ରିପାଲଙ୍କ ସମଲିଙ୍ଗୀ ସାଥୀଙ୍କ ମୂଳ ଦେଶ ‘ଏକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର’ ବୋଲି ସୂଚାଇ ବିଚାରପତିମାନେ କହିଛନ୍ତି ଯେ, ବର୍ତ୍ତମାନ ଏବଂ ଅତୀତରେ ସାମ୍ବିଧାନିକ କାର୍ଯ୍ୟାଳୟର ଅନେକ ଅଧିକାରୀଙ୍କର ଜୀବନସାଥୀ ଅଛନ୍ତି ଯେଉଁମାନେ ବିଦେଶୀ ନାଗରିକ ତେଣୁ ତାଙ୍କ ସାଥୀ ଜଣେ ବିଦେଶୀ ନାଗରିକ ବୋଲି ସୌରଭ କ୍ରିପାଲଙ୍କ ପ୍ରାର୍ଥୀତ୍ୱରେ କୌଣସି ଆପତ୍ତି କରିବା ଠିକ୍ ନୁହେଁ।

Related Posts