ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୫-୨୬ରେ ଜିଡିପି ଗ୍ରୋଥ୍ ୭.୭% । ତେବେ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଡାଟା ଅନୁସାରେ, ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ଭାରତର ଜିଡିପି ଗ୍ରୋଥ୍ ୭.୮ ପ୍ରତିଶତ ରହିଛି । ଏହି ଦମଦାର ତ୍ରୈମାସିକ ପ୍ରଦର୍ଶନ ବଳରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଦେଶର ମୋଟ ଆର୍ଥିକ ବିକାଶ ହାର ୭.୭ ପ୍ରତିଶତ ରହିଛି ।ପରିସଂଖ୍ୟାନ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତର ଅର୍ଥବ୍ୟବସ୍ଥା ୭.୭ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ପୂର୍ବ ଆର୍ଥିକ ବର୍ଷ ୨୦୨୪-୨୫ର ୭.୧ ପ୍ରତିଶତ ବିକାଶ ହାର ତୁଳନାରେ ୦.୬ ଅଧିକ ।

ଏହି ଗତି ସ୍ପଷ୍ଟ କରୁଛି ଯେ ଦେଶର ଆର୍ଥିକ ଗତିବିଧି ଗତିଶୀଳ ରହିଛି, ଯାହା ବିକାଶକୁ କ୍ରମାଗତ ଭାବେ ସମର୍ଥନ ଯୋଗାଉଛି ।ଦେଶର ନୋମିନାଲ୍ ଜିଡିପି ୮.୯% ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ରିଅଲ୍ ଏବଂ ନୋମିନାଲ୍ GVA (ଗ୍ରସ୍ ଭାଲ୍ୟୁ ଆଡେଡ୍) ଯଥାକ୍ରମେ ୭.୯% ଏବଂ ୯.୧% ବୃଦ୍ଧି ପାଇଛି । କୃଷି ଏବଂ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରଗୁଡ଼ିକର ଅଭିବୃଦ୍ଧି ୩.୨% ହୋଇଛି । ସେକେଣ୍ଡ୍ରୀ (ଦ୍ୱିତୀୟ) ଏବଂ ଟର୍ସିୟରୀ (ତୃତୀୟ) କ୍ଷେତ୍ରଗୁଡ଼ିକ ମଧ୍ୟ ଅର୍ଥନୀତିକୁ ସପୋର୍ଟ କରି ଯଥାକ୍ରମେ ୮.୮% ଏବଂ ୯.୩% ଅଭିବୃଦ୍ଧି ହାସଲ କରିଛନ୍ତି  । ସରକାରୀ ଆକଳନରେ ରିଅଲ ଜିଡିପି ଅର୍ଥାତ୍ ‘ସ୍ଥିର ମୂଲ୍ୟରେ ଜିଡିପି’ ଆର୍ଥିକ ବର୍ଷ ୨୦୨୫-୨୬ରେ ୩୨୩.୧୨ ଲକ୍ଷ କୋଟି ଟଙ୍କାର ସ୍ତରରେ ପହଞ୍ଚିବା ନେଇ ଅନୁମାନ କରାଯାଇଛି ।

ଏହି ସଂଖ୍ୟା ଆର୍ଥିକ ବର୍ଷ ୨୦୨୪-୨୫ର ୨୯୯.୮୯ ଲକ୍ଷ କୋଟି ଟଙ୍କାର ପ୍ରଥମ ସଂଶୋଧିତ ଆକଳନ (FRE) ତୁଳନାରେ ଏକ ବଡ଼ ବୃଦ୍ଧିକୁ ଦର୍ଶାଉଛି ।ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ନୋମିନାଲ ଜିଡିପି (ପ୍ରଚଳିତ ବଜାର ମୂଲ୍ୟ ଆଧାରରେ) କ୍ଷେତ୍ରରେ ମଧ୍ୟ ଅର୍ଥବ୍ୟବସ୍ଥା ନିଜର ଗତି ବଜାୟ ରଖିଛି । ଆର୍ଥିକ ବର୍ଷ ୨୦୨୫-୨୬ରେ ନୋମିନାଲ ଜିଡିପି ୩୪୬.୩୬ ଲକ୍ଷ କୋଟି ଟଙ୍କାର ସ୍ତରରେ ପହଞ୍ଚିବା ନେଇ ଆକଳନ କରାଯାଇଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଏହି ସଂଖ୍ୟା ୩୧୮.୦୭ ଲକ୍ଷ କୋଟି ଟଙ୍କା ରେକର୍ଡ କରାଯାଇଥିଲା । ଏହା ୮.୯ ପ୍ରତିଶତର ଏକ ଦୃଢ଼ ବୃଦ୍ଧି ହାରକୁ ଦର୍ଶାଉଛି ।