‘ଗୋଦରୀ ଲୋ ତୋ ଗୋଡକୁ ଅନା’; ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ଜବାବ୍ ରଖିଲେ ପ୍ରସନ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀର୍ଜକ ବାଣ ମାରିବା ପରେ, ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛି ବିଜେଡି । ତେବେ ଧର୍ମେନ୍ଦ୍ର ଆଜି ଢଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସମାନ ଢଗ ମାଧ୍ୟମରେ ଜବାବ୍ ଦେଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହୁଥିବା ଅଭିଯୋଗ କରି ଢଗ ମାଧ୍ୟମରେ ଧର୍ମେନ୍ଦ୍ର କହିଥିଲେ ଯେ, ‘ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜୁଛନ୍ତି’ ଓ ଆଉ ଏକ ଉଦାହରଣ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ, ‘ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ଚର୍ଚ୍ଚା କରୁଛନ୍ତି’ । ତେବେ ଏହାର ଜବାବ୍ ରେ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଢଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ‘ଗୋଦରୀ ଲୋ ତୋ ଗୋଡକୁ ଅନା’।ଖାଲି ସେତିକି ନୁହେଁ ‘କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ’ ଭଳି ଲୋକକଥାର ବ୍ୟବହାର କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କୁ ଓଲଟା ପ୍ରଶ୍ନ କରିଛି ଶାସକ ବିଜୁ ଜନତା ଦଳ ।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ସତ୍ୟକୁ ବିକ୍ରୁତ କରି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯାଉଛି । ତଥ୍ୟକୁ ଭୁଲ ଢଙ୍ଗରେ ଲୋକଙ୍କୁ କୁହାଯାଉଛି । ଯାହାକୁ ଶୁଣିବା ପରେ ପଦ୍ମପୁରବାସୀ ଏବେ କହିବା ଆରମ୍ଭ କରିଛନ୍ତି, ଗୋଦରୀ ଲୋ ତୋ ଗୋଡକୁ ଅନା । ତେବେ ଗତକାଲି ଓ ଆଜି ପଦ୍ମପୁରରେ ନିର୍ବାଚନୀ ଭାଷଣ ଦେଇ କେନ୍ଦ୍ରମନ୍ତ୍ରୀ ଯାହା ଯାହା କହିଛନ୍ତି, ସେ ପ୍ରସଙ୍ଗରେ ଜବାବ ରଖିଛି ବିଜେଡି । କେନ୍ଦ୍ରମନ୍ତ୍ରୀ କହିଥିଲେ ବିଜୁ ଜନତା ଦଳ ଓଡିଶାକୁ ଋଣ ଭାରରେ ବୁଡାଇ ଦେଲାଣି । ଓଡିଆ ଲୋକଙ୍କୁ ଋଣ ବୋଝରେ ବୁଡାଇ ଦେଲାଣି । ହେଲେ ଭାରତ ସରକାର ବିଭିନ୍ନ ଯୋଜନା ପାଇଁ କେତେ ଟଙ୍କା ଋଣ ଆଣିଛନ୍ତି । କେତେ ଟଙ୍କା ଏବେ ଲୋକଙ୍କ ମୁଣ୍ଡରେ ଋଣ ଅଛି ସେ କିନ୍ତୁ କେନ୍ଦ୍ରମନ୍ତ୍ରୀ କହୁନାହାଁନ୍ତି । ଖାଲି ସେତିକି ନୁହେଁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଋଣ ଫଣ୍ଡ ମାମଲାରେ ଓଡିଶା, ବିଜେପି ଶାସିତ ଅନ୍ୟ ରାଜ୍ୟଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛି ବୋଲି ପ୍ରସନ୍ନ କହିଛନ୍ତି ।

ସେହିପରି ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ସୀମା ଟପୁଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ ସଂଖ୍ୟା ଓଡିଶାଠାରୁ ଢେର ଗୁଣ ଅଧିକ । ହେଲେ କେନ୍ଦ୍ରମନ୍ତ୍ରୀ ଓଡିଶା ସରକାରଙ୍କୁ ଏ ବାବଦରେ ମିଛରେ ବଦନାମ କରୁଛନ୍ତି । ତେଣୁ ଏ କ୍ଷେତ୍ରରେ କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ ଲୋକକଥାର ବ୍ୟବହାର କରିଥିଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ଅନ୍ୟପଟେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ, ରାଜ୍ୟ ସରକାର ଚାଷୀଙ୍କ କଥା ବୁଝୁନାହାଁନ୍ତି ବୋଲି ବିଜେପି ଦାବି କରୁଛି । ହେଲେ ଏବେ ବି ଭାରତ ସରକାରଙ୍କ ଉପରେ ଓଡିଶା ସରକାରଙ୍କ ୯ ହଜାର କୋଟି ଟଙ୍କା ବକେୟା ରହିଛି । ଯାହାକୁ ଓଡିଶା ସରକାରକୁ କେନ୍ଦ୍ର ସରକାର ଦେଇନାହାଁନ୍ତି । ସେହିପରି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମିଛ କହିଛନ୍ତି, ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ସଂସଦରେ ଏନେଇ ଉତ୍ତର ରଖି, ଓଡିଶାରେ ୨୦୧୭ ପରେ କୌଣସି ଚାଷୀ ଆତ୍ମହତ୍ୟା କରିନଥିଲେ ବୋଲି କହିଥିଲେ । ତେଣୁ କେନ୍ଦ୍ରମନ୍ତ୍ରୀ ମିଛ ଓ ଭୁଲ ତଥ୍ୟ ଲୋକଙ୍କ ସାମ୍ନାରେ ନରଖନ୍ତୁ ବୋଲି କହିଛି ବିଜେଡି ।

Related Posts