ପୁଣି ୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ ଦାସ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପୁଣି ୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି | ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି | ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି |

ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା | ପୁନର୍ବାର ରିମାଣ୍ଡରେ ନେଇ କିଛି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ନିବେଦନ କରିଥିଲା | ଯାହାକୁ କୋର୍ଟ ଅନୁମତି ଦେଇଥିଲେ | ତେବେ କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ପରେ ପୁଣି ୪ ଦିନ ରିମାଣ୍ଡ‌ ବୃଦ୍ଧି କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର କରିଥିଲା । ଅନ୍ୟପଟେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ କାରଣ ଏବେ ବି ରହସ୍ୟ ଘେରରେ ରହିଛି । ସେହିପରି ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରି ହତ୍ୟା କଲା, ସେସବୁ ବଖାଣିବା ସହିତ ଗତକାଲି ଆଉଥରେ (ସିନ୍‌ ରିକ୍ରିଏସନ୍‌) କରି ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଦେଖାଇଥିଲା।

Related Posts