ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସରେ ଯୋଗଦେବେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ। ସେ ରାହୁଲ ଗାନ୍ଧୀଙ୍କ ସହ ଭେଟିବା ପରେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି।
କଂଗ୍ରେସର ମିଶ୍ରଣ ପର୍ବ ପାଇଁ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି କଂଗ୍ରେସ ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ବିଜୟ ନାୟକ କଂଗ୍ରେସରେ ମିଶିବା ଦ୍ବାରା ଓଡ଼ିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି।
୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ। ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ। ଏହାପରେ ବିଜୟ ପଟ୍ଟନାୟକ ୨୦୧୩-୧୪ରେ ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନର ଅଧ୍ୟକ୍ଷ ଏବଂ ୨୦୧୪- ୧୫ରେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ରହିଥିଲେ। ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ମସିହାରେ ଇସ୍ତଫା ଦେଇଥିଲେ।
ତେବେ ପୂର୍ବରୁ ୨୦୨୨ରେ ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣଙ୍କୁ ଏକା ସଙ୍ଗେ ଦେଖିବା ପରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ୨୦୨୨ ମସିହା ମେ ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ଏପରିକି ସେ ଏ ନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରୁଥିବା କୁହାଯାଉଥିଲା। ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନ ଥିବା ଗଣମାଧ୍ୟମକୁ କହିଥିଲେ।
