ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲରେ ରନ୍ଧଣ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଏନେଇ ଚିଠି ଜାରି କରାଯାଇଛି।

ନିର୍ଦ୍ଦେଶ ଅନୁସାରେ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧଣ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ବିଶେଷକରି ଜଳଖିଆରେ ଅଧିକ ତେଲ ବ୍ୟବହାର ହେଉଥିବା ପୁରୀ, ବରା, ଚପ, ପକୁଡି ଭଳି ଖାଦ୍ୟ ପରିବେଷଣକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।

ଏହା ସହିତ ଅଧିକ ତେଲରେ ଛଣାଯାଉଥିବା ଖାଦ୍ୟର ପରିମାଣ କମାଇବାକୁ କୁହାଯାଇଛି। ତେବେ ଖାଦ୍ୟର ପୁଷ୍ଟିକର ମାନରେ ଯେପରି କୌଣସି ସାଲିସ୍ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ବିଭାଗ ପକ୍ଷରୁ ଆମଦାନୀ ହେଉଥିବା ପାମ୍, ସନଫ୍ଲାୱାର ଓ ସୋୟାବିନ୍ ତେଲ ବଦଳରେ ପାରମ୍ପରିକ ଘିଅ, ସୋରିଷ ତେଲ ଓ ଚିନାବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶ ପଛରେ ଦୀର୍ଘଦିନ ଧରି ଚାଲିଥିବା ବିଶ୍ୱସ୍ତରୀୟ ଯୋଗାଣ ବ୍ୟବସ୍ଥାରେ ବାଧା ଓ ଆର୍ଥିକ ସଙ୍କଟକୁ କାରଣ ଭାବେ ଦର୍ଶାଯାଇଛି। ଉଚ୍ଚଶିକ୍ଷା ବିଭାଗର ଉପସଚିବ ରମେଶ ଚନ୍ଦ୍ର ବେହେରା କଲେଜ ଅଧ୍ୟକ୍ଷମାନଙ୍କୁ ଦେଇଥିବା ଚିଠିରେ କହିଛନ୍ତି ଯେ, କୋଭିଡ୍ ପରଠାରୁ ବିଶ୍ୱରେ ବାରମ୍ବାର ଯୋଗାଣ ଶୃଙ୍ଖଳା ସମ୍ପର୍କିତ ସମସ୍ୟା ଓ ସଙ୍କଟ ଦେଖାଦେଇଛି। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ଇରାନ୍‌ରେ ସାମ୍ପ୍ରତିକ ସଂଘର୍ଷ ଯୋଗୁଁ ଏହି ସଙ୍କଟ ଆହୁରି ବଢ଼ିଥିବା ଚିଠିରେ ଉଲ୍ଲେଖ ରହିଛି।

ଏଭଳି ପରିସ୍ଥିତିରେ ଦେଶର ନାଗରିକମାନେ ନିଜ ନିଜ ସ୍ତରରେ ଛୋଟ ଛୋଟ ପଦକ୍ଷେପ ନେଇ ଦେଶକୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା କଥା ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି।

ଏହାସହିତ NSS (National Service Scheme)Youth Red Cross (YRC) ସ୍ୱେଚ୍ଛାସେବୀମାନଙ୍କୁ ସମ୍ପ୍ରଦାୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରି ଦୈନନ୍ଦିନ ରୋଷେଇରେ ତେଲ ବ୍ୟବହାର କମାଇବା ନେଇ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି।

ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଯୋଗାଣ ଓ ଆର୍ଥିକ ସଙ୍କଟର ପ୍ରଭାବକୁ ମୁକାବିଲା କରିବା ସହ ଦୈନନ୍ଦିନ ଜୀବନରେ ତେଲ ବ୍ୟବହାର କମାଇବା ପାଇଁ ସାମୂହିକ ଭାବେ ଅବଦାନ ରଖିବା।