ରାଉରକେଲା(ସତ୍ୟପାଠବ୍ୟୁରୋ)- ସର୍କିଟ୍ ହାଉସରୁ ପେସାଦାର ଅପରାଧୀଙ୍କ ସହ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ଘାଣ୍ଟୁଛି ରାଉରକେଲା ପୋଲିସ। ୨ ଦିନର ଝାଳବୁହା ଜେରା ପରେ ଆଜି ଜେଲ ଫେରିଯିବେ ପ୍ରକାଶ ପାସୱାନ।
ଜେରା ବେଳେ ସେ ଅନେକ ବିଭ୍ରାନ୍ତିକର ବୟାନ ଦେଇଥିବା ସୂଚନା ମିଳିଛି। ତେଣୁ ପୋଲିସ ପୁଣି ଥରେ ତାଙ୍କୁ ରିମାଣ୍ଡରେ ଆଣିବାର ସମ୍ଭାବନା ରହିଛି। ସେପଟେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକାଶଙ୍କ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ଥିବା ଅଫିସକୁ ସିଲ୍ କରାଯାଇଛି। ଏହା ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ଏ ନେଇ ଅଗଷ୍ଟ ୩୧ ଅର୍ଥାତ ଆଜି ସୁଦ୍ଧା ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନ ମିଳିଲେ ଅଫିସ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଜନ ନାୟକ ଓ ଅମିତ୍ ନାୟକଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଛି। ଆଜି ସେ ଦୁଇ ଜଣଙ୍କୁ ପୋଲିସ ରିମାଣ୍ଡ ଆଣିବାର ସମ୍ଭାବନା ଅଛି।