ଜିଏସଟି ମାଡ଼: ସୋମବାର ଠୁ ମହଙ୍ଗା ହେବ ଅନେକ ଖାଦ୍ୟ ସାମଗ୍ରୀର ଦର ଦାମ

ନୂଆଦିଲ୍ଲୀ : ବୋଝ ଉପରେ ଲଳିତା ବିଡା । ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ପାଇଁ ଆସନ୍ତା ସୋମବାରଠାରୁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବାକୁ ଯାଉଛି । ଯାହାର ସିଧା ପ୍ରଭାଵ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ପଡ଼ିବ।

ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିକୁ ବିଶେଷଭାବେ ପ୍ରଭାବିତ କରିବ ।

ସେସବୁ ସାମଗ୍ରୀ ମଧ୍ୟ ରହିଛି ମୁଢି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ପଇଡ଼ ପାଣି, ଚାଉଳ ଅଟା, ମହୁ ଇତ୍ୟାଦି । କେବଳ ପଇଡ଼ ପାଣିକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପଇଡ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି ସୂଚନା ରହିଛି।

କେବଳ ଏତିକି ନୁହେଁ, ଏଲଇଡି ବଲବ୍, ଛୁରୀ, ପେନସିଲ ସାର୍ପେନର, ସୋଲାର ଓ୍ବାଟର ହିଟର, ମାନଚିତ୍ର,ହସପିଟାଲ ରୁମଭଡ଼ା, ଗ୍ରାଇଣ୍ଡର ଇତ୍ୟାଦି ମଧ୍ୟ ମହଙ୍ଗା ହେବ ।

ଗତ ମାସରେ ଚଣ୍ଡିଗଡ଼ରେ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏସବୁ ବର୍ଦ୍ଧିତ ଜିଏସଟି ହାର ଜୁଲାଇ ୧୮ରୁ ଲାଗୁ ହେବ। ତେବେ ଜିଏସଟି କାଉନସିଲର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

Related Posts