ସ୍କୁଲ ପାଇଁ ପୁଣି ଆସିଲା ଗାଇଡଲାଇନ : ଏଣିକି ବିନା ମାସ୍କରେ ସ୍କୁଲ୍ ମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା ସହ ସ୍କୁଲ୍ କଲେଜ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। କିନ୍ତୁ କିଛି କିଛି ସ୍କୁଲରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି । ଏଣିକି ମାସ୍କ ବିନା, ସ୍କୁଲ ପ୍ରବେଶ ମନା ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି । ନୂତନ ଗାଇଡଲାଇନ ଅନୁଯାୟୀ ବିନା ମାସ୍କରେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେନି ଛାତ୍ରଛାତ୍ରୀ । ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବ ଗାଇଡ଼ଲାଇନ ସହ ଅନ୍ୟ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ସମ୍ପର୍କରେ ସରକାରଙ୍କ ତରଫରୁ ସମସ୍ତ ଡିଇଓମାନଙ୍କୁ ଚିଠି ଲେଖା ଅବଗତ କରାଯାଇଛି । ମାସ୍କ ପିନ୍ଧିବା ସହ ସ୍କୁଲରେ ସମସ୍ତ ପିଲାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ କ୍ଲାସରୁମରେ ସାମାଜିକ ଦୂରତା ପାଳନ କରାଯିବ । ଥର୍ମାଲ ସ୍କ୍ରିନିଂ ସହ ହାତ ସଫା କରିବାର ବ୍ୟବସ୍ଥା କରାଯିବ । ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ ବୋଲି ନୂତନ ମାର୍ଗଦର୍ଶୀକାରେ କୁହାଯାଇଛି । ବିଆରସିସି ଓ ସିଆରସିସି ପର୍ଯ୍ୟାୟକ୍ରମେ ସ୍କୁଲକୁ ଯାଇ ତଦାରଖ କରିବେ । ଶ୍ରେଣୀଗୃହ ଶିକ୍ଷାଦାନ ତଥା ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ୍‌ ପାଠପଢ଼ା ଜାରି ରହିବ । ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ ବୋଲି ସାନି ଗାଇଡଲାଇନରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ କାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତି ସମୀକ୍ଷା କରି କହିଛନ୍ତି ଯେ, କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ତେଣୁ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍‌ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Related Posts