ପାଣିରେ ହଜାର ହଜାର କୋଟି ଟଙ୍କାର ଜଳକର ଫାଙ୍କିଛନ୍ତି ଶିଳ୍ପ ସଂସ୍ଥା : ୧୦ ସଂସ୍ଥା ଉପରେ ୧୦୨୪ କୋଟି ଟଙ୍କା ଜଳକର ବାକି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚାଷ ଜମିକୁ ଜଳସେଚନ ପାଇଁ ନିର୍ମାଣ ହୋଇଛି ହୀରାକୁଦ ନଦୀ ବନ୍ଧ। ଏବଂ ଏଥିପାଇଁ ଅନେକ ଲୋକ ବାସହର ହୋଇଥିବା ବେଳେ ହଜାର ହଜାର ଚାଷୀ ପରିବାର ଏବେ ସୁଦ୍ଧା ସେମାନଙ୍କ କ୍ଷତିପୂରଣ ପାଇ ନାହାଁନ୍ତି। ଚାଷ ପାଇଁ ଜଳସେଚନ ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ ଥିବା ହୀରାକୁଦ ବନ୍ଧରୁ ଏବ ଶିଳ୍ପ ସଂସ୍ଥା ମାନେ ପାଣି ଶୋଷୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଶିଳ୍ପ ସଂସ୍ଥା ମାନେ ବହୁ ପାଣି ବ୍ୟବହାର କରୁଥିବା ସତ୍ତ୍ବେ ବର୍ଷ ବର୍ଷ ଧରି ହଜାର ହଜାର କୋଟି ଟଙ୍କାର ଜଳକର ଫାଙ୍କିଛନ୍ତି। ଜଳକର ବାକି ରହିଥିବା ବହୁ ଶିଳ୍ପ ବନ୍ଦ ବି ହୋଇ ସାରିଲାଣି। ତେବେ ଯେଉଁ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ହୋଇ ଯାଉଛି ସେଥିରୁ ବକେୟା ଜଳକର ଆଉ ଆଦାୟ କରିବା ଆଉ ସମ୍ଭବ ନୁହେଁ।

ଶିଳ୍ପ ସଂସ୍ଥା ମାନେ ପାଣି ଖର୍ଚ୍ଚ କରି ତାର ଦେୟ ନଦେଇ ବନ୍ଦ ହୋଇଯାଇ ଥିବାରୁ ଜଳକର ବାବଦ ଟଙ୍କା ବି ଆଦାୟ ହୋଇ ପାରୁ ନାହିଁ। ଏମିତିକି ଏବେ ବି କାର୍ଯ୍ୟରତ ଶିଳ୍ପ ସଂସ୍ଥାମାନେ ମଧ୍ୟ ଜଳ କର ଠିକ୍‌ ଭାବେ ପୈଠ କରୁନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଚାଷୀଙ୍କ ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ବଞ୍ଚାଇବା କଷ୍ଟକର ହୋଇ ପଡ଼ିଥିବା ବେଳେ ମରୁଡ଼ି ଆଶଙ୍କା ଦେଖା ଦେଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏବେ ଚାଷ କାର୍ଯ୍ୟ ଜଳାଭାବ ଯୋଗୁଁ ଠପ୍‌ ହୋଇଯାଇଛି। ହୀରାକୁଦ ପାଣି ଏହି ଅଞ୍ଚଳର ଚାଷ ପାଇଁ କୌଣସି କାମରେ ଆସୁନଥିବା ବେଳେ ଶିଳ୍ପ ସଂସ୍ଥା ଏହାର ପାଣିକୁ ଭରପୂର ଉପଯୋଗ କରୁଥିବା ଜଣାଯାଇଛି।

ଗତ ବିଧାନସଭାରେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଥିବା ସୂଚନା ମୁତାବକ ହୀରାକୁଦରୁ ଜଳ ନେଇଥିବା ୧୦ଟି ଶିଳ୍ପ ସଂସ୍ଥା ଉପରେ ୧୦୨୪ କୋଟି ଟଙ୍କାର ଜଳକର ବାକି ରହିଛି। ହୀରାକୁଦ ଜଳଭଣ୍ଡାରରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଥିବା ୧୭ଟି ଶିଳ୍ପ ସଂସ୍ଥା ପାଣି ନେଉଛନ୍ତି। ଗତ ମାର୍ଚ୍ଚ ମାସ ସୁଦ୍ଧା ହିସାବ ଅନୁଯାୟୀ ୧୦ଟି ଶିଳ୍ପ ସଂସ୍ଥା ଉପରେ ୧୦୨୩ କୋଟି ୭୭ ଲକ୍ଷ ୫୯ ହଜାର ଟଙ୍କାର ଦେୟ ବାକି ଅଛି। କେବଳ ଶିଳ୍ପ ସଂସ୍ଥା ନୁହେଁ, ଦକ୍ଷିଣ ପୂର୍ବ ରେଳପଥ ଉପରେ ସର୍ବାଧିକ ୪୫୪ କୋଟି ୧୩ ଲକ୍ଷ ଟଙ୍କା ବାକି ପଡ଼ିଛି।

ସେହିପରି ବନ୍ଦ ହୋଇଯାଇଥିବା ଝାରସୁଗୁଡ଼ା ଓରିଏଣ୍ଟ ପେପର ମିଲ୍‌ ଉପରେ ୨୭୯ କୋଟି ୫୭ ଲକ୍ଷ ଟଙ୍କା ବକେୟା ରହିଥିବା ବେଳେ ସମ୍ବଲପୁର ଶ୍ୟାମ ମେଟାଲିକ୍‌ ପାୱାର ଲିମିଟେଡ୍‌ ଉପରେ ୧୩୧ କୋଟି ୫୨ ଲକ୍ଷ ୭୭ ହଜାର ଟଙ୍କା, ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ଉପରେ ୯୪ କୋଟି ୩୫ ଲକ୍ଷ ୭୪ ହଜାର ଟଙ୍କା ବକେୟା ରହିଛି।

ଅନ୍ୟପକ୍ଷରେ ସମ୍ବଲପୁର ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ୍‌ ଉପରେ ୩୭ କୋଟି ୯୯ ଲକ୍ଷ ୮୫ ହଜାର ଟଙ୍କା, ଝାରସୁଗୁଡ଼ା ବନହରପାଲି ଇବ୍‌ ଥର୍ମାଲରେ ଆଇଟିପିସି, ଓପିଜିସି ଉପରେ ୧୩ କୋଟି ୭୪ ଲକ୍ଷ ୯ ହଜାର ଟଙ୍କା, ଝାରସୁଗୁଡ଼ା ଇଣ୍ଡ ଭାରତ (ଉତ୍କଳ) ଉପରେ ୬ କୋଟି ୩୫ ଲକ୍ଷ ୮୬ ହଜାର ଟଙ୍କା, ଝାରସୁଗୁଡ଼ାର ଆକ୍ସନ ଇସ୍ପାତ ଆଣ୍ଡ ପାୱାର ଲିମିଟେଡ୍‌ ଉପରେ ୫ କୋଟି ୭୭ ଲକ୍ଷ ୯୮ ହଜାର ଟଙ୍କା, ଝାରସୁଗୁଡ଼ା ବିଏଲ୍‌ଟିଏସ୍‌ ବନ୍ଧବାହାଲ ଉପରେ ୩୦ ଲକ୍ଷ ୯୯ ହଜାର ଟଙ୍କାର ଜଳକର ବକେୟା ରହିଛି। ଏହି ୧୦ ଶିଳ୍ପ ସଂସ୍ଥା ମଧ୍ୟରୁ ଅନେକ ସଂସ୍ଥା ବହୁ ଦିନରୁ ବନ୍ଦ ହୋଇ ଯାଇଥିବାରୁ କୋଟି କୋଟି ଟଙ୍କାର ଜଳକର ଆଦାୟ ହେବା ସମ୍ଭାବନା ଦେଖା ଯାଉନାହିଁ।

Related Posts