ଗୁଜୁରାଟ ମୋର୍ବି ଝୁଲା ପୋଲ ଭୁଶୁଡିବା ଘଟଣା: ନ୍ୟାୟିକ ତଦନ୍ତ ଦାବି କଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଗୁଜୁରାଟ ମୋର୍ବିରେ ଝୁଲାପୋଲ ଭୁଶୁଡିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଲାଇଛି । ଏହି ଦୁର୍ଘଟଣାରେ 144 ଜଣ ଲୋକ ଆଖି ବୁଜିଛନ୍ତି । ତେବେ ଅଘଟଣ ନେଇ ଅବ୍ୟବସ୍ଥାକୁ ଦାୟୀ କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ବାବଧାନରେ ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଭାବିତଙ୍କୁ ସରକାର ତୁରନ୍ତ ଆର୍ଥିକ ଓ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ଖଡଗେ ମୃତକଙ୍କ ପରିବାରରୁ ସମବେଦନା ଜଣାଇବା ସହ କହିଛନ୍ତି, ‘ମାତ୍ର 5 ଦିନ ପୂର୍ବେ ଏହି ପୋଲ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିବା ବେଳେ, କାହିଁକି ଏତେ ସଂଖ୍ୟକ ଲୋକଙ୍କୁ ଏକକାଳୀନ ପୋଲରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା । ଏହାର ତଦନ୍ତ କାରଯିବାର ଆବଶ୍ୟକତା ରହିଛି । ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ନେତୃତ୍ବରେ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା ନେଇ ସରକାର ନିର୍ଦ୍ଦେଶ ଦିଅନ୍ତୁ ।ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଏହି ପୁରାତନ ବ୍ରିଜ ମରାମତି ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିଲା । ତେବେ ମରାମତି ସରିବା ପରେ ଗତ 5ଦିନ ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ତେବେ ଗତକାଲି ସଂଧ୍ୟାରେ ପୋଲରେ ମାତ୍ରାଧିକ ଭିଡ ଦେଖିବାକୁ ମିଳିଥିଲା ।

ପୋଲ ଉପରେ ଏକକାଳୀନ ପ୍ରାୟ 4ଶହ ଯାତ୍ରୀ ଚଢିଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା । ଶତାଧିକ ଲୋକ ନଦୀଗର୍ଭକୁ ଖସି ପଡିଥିଲେ । ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଅପରେସନ ଆରମ୍ଭ କରାଯାଇଥିଲେ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା ।

Related Posts