ଗୁଜୁରାଟ ଓ୍ୱଲସାଡ ବିଧାୟକ ଭରତ ପଟେଲଙ୍କ ବିବାଦୀୟ ବୟାନ: ମୁଁ ଯେତେବେଳେ ଚାହିଁବି ଦଙ୍ଗା କରିଦେବି

ନୂଆଦିଲ୍ଲୀ : ଗୁଜୁରାଟ ଓ୍ୱଲସାଡ ବିଧାୟକ ଭରତ ପଟେଲଙ୍କ ବିବାଦୀୟ ବୟାନ । ଯାହା ଏବେ ସାମ୍ନାକୁ ଆସିଛି । ସେ ଯେବେ ଚାହିଁବେ ଦଙ୍ଗା କରାଇଦେବେ ବୋଲି ଧମକ ଦେଇଛନ୍ତି । ପୋଲିସ କର୍ମୀଙ୍କ ସହ ଯୁକ୍ତିତର୍କ ବେଳେ ସେ ଏପରି କହିଥିବା ଜଣାପଡିଛି ।

ସୂଚନାନୁସାରେ, ସୋମବାର ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ନେବା ସମୟରେ ଏକ ଛକରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା । ଏହି କାରଣରୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଅତିରିକ୍ତ ଏସପି, ପୋଲିସ ଇନ୍ସପେକ୍ଟରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ପୋଲିସ ଟ୍ରାଫିକ କାରଣରୁ ଡିଜେ ବନ୍ଦ କରିବାକୁ କଥା ଯୁକ୍ତିତର୍କ ଯାଏଁ ଯାଇଥିଲା ।

ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟକ ଭରତ ଘଟଣାସ୍ଥଳରେ ପହଁଚିଥିଲେ । ପୋଲିସ ଅଧିକାରୀ ଓ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିଧାୟକଜଣଙ୍କ ଏହି ସମୟରେ ପୋଲିସକୁ ଧମକ ଦେବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରିଥିଲେ । ଏପରିକି ଆବଶ୍ୟକ ପଡିଲେ ଦଙ୍ଗା କରିଦେବେ ବୋଲି କହିଥିଲେ ।

ତେବେ ଘଟଣାକୁ ନେଇ ବିଧାୟକଙ୍କ ପ୍ରତିକ୍ରିୟା ଆସିନାହିଁ । ଅନ୍ୟଦିଗରେ ପୋଲିସ ଅଧିକାରୀ ମଧ୍ୟ ଏବାବଦରେ କିଛି କହିନଥିବା ସୂଚନା ମିଳିଛି । ହେଲେ ବିଧାୟକଙ୍କ ଏହି ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି ।

Related Posts