ସୁରକ୍ଷା ଦେବା ବାହାନାରେ ମୋତେ ସାଧାରଣ ଲୋକଙ୍କ ପାଖକୁ ଯିବାକୁ ଅଟକାଉଛି ଗୁଜୁରାଟ ପୋଲିସ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣି ଗୁଜୁରାଟର ଅହମଦାବାଦରେ ନିଜ ସୁରକ୍ଷା ପ୍ରସଙ୍ଗକୁ ଉଠାଇଛନ୍ତି। ସେ କହିଛନ୍ତି ଯେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ ଯେତେବେଳେ ମୁଁ ଏକ ଅଟୋ ଡ୍ରାଇଭରର ଘରକୁ ଅଟୋରେ ବସି ଯାଉଥିଲି ସେତେବେଳେ ଗୁଜୁରାଟ ପୁଲିସ ମୋତେ ସୁରକ୍ଷା ଦେବା ନାଁ ରେ ଅଟକାଇଥିଲା। ମୋତେ ଅଟୋରେ ଯିବାକୁ ଦେଇନଥିଲା ପୋଲିସ । ପୋଲିସର ମୁଖ୍ୟ ଉଦେଶ୍ୟ ଥିଲା ମତେ ସାଧାରଣ ଲୋକଙ୍କ ମଧ୍ୟକୁ ଯିବାକୁ ରୋକିବା। ସୁରକ୍ଷା ଦେବା କେବଳ ଏକ ବାହାନା ବୋଲି କେଜ୍ରିୱାଲ କହିଛନ୍ତି। ଗୁଜୁରାଟରେ ଆପ ପ୍ରତି ବଢୁଥିବା ଜନ ସମର୍ଥନ ଦେଖି ବିଜେପି ସରକାର ଏଭଳି କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ଏହାକୁ ନେଇ କେଜ୍ରିଓ୍ବାଲ ଆହୁରି କହିଛନ୍ତି ଯେ, କୌଣସି ରାଜ୍ୟର ପୁଲିସ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଅଟୋରେ ଯିବାକୁ ରୋକି ପାରିବ କି ? ମୁଁ ପଞ୍ଜାବ ମଧ୍ୟ ଯାଉଛି ଦିଲ୍ଲୀରେ ମଧ୍ୟ ଯାଉଛି ସେଠାରେ ତ ଏପରି ହେଉନାହିଁ । କେଜ୍ରିଓ୍ବାଲ ଆହୁରି କହିଛନ୍ତି ଯେ, ଗୁଜୁରାଟ ପୁଲିସ ମୋତେ ସୁରକ୍ଷା ଦେବାକୁ ଚାହୁଁ ନଥିଲା, ସେମାନେ ପ୍ରକୃତରେ ମୋତେ ଅଟୋ ଚାଳକଙ୍କ ଘରକୁ ଯିବାକୁ ଅଟକାଉଥିଲା । ସେମାନେ ଚାହୁଁ ନଥିଲେ ମୁଁ ସାଧାରଣ ଲୋକଙ୍କ ପାଖକୁ ଯାଏ। ହେଲେ ତାଙ୍କୁ ଜଣା ନାହିଁ କେଜ୍ରିଓ୍ବାଲଙ୍କୁ ଜନସାଧାରଣଙ୍କ ମଧ୍ୟକୁ ଯିବାରେ କେହି ରୋକି ପାରିବେନି । କେଜ୍ରିଓ୍ବାଲ କହିଛନ୍ତି ଯେ, ଗୁଜୁରାଟରେ ସାଧାରଣ ଲୋକ ମାନଙ୍କ ସମସ୍ୟା ବୁଝିବା ଆବଶ୍ୟକ । ଗୁଜୁରାଟରେ ନେତାମାନେ ଲୋକମାନଙ୍କ ନିକଟକୁ କେବେ ବିକାଶ କାମ କରିବାକୁ ଯାଇ ନଥାନ୍ତି । ସେମାନେ କେବଳ ଜନତାଙ୍କ ପାଖକୁ ଭୋଟ ମାଗିବାକୁ ଯାଇଥାନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

Related Posts