
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ଜିଲ୍ଲା ଗୁଣପୁର ଆଦର୍ଶ ଥାନା ଅନ୍ତର୍ଗତ କୁକୁରଗୁଡ଼ାରେ ଘଟିଥିବା କୁମାରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଚନ୍ଦ୍ର ଶବରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ତିନି ମାସ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି। ଅତିରିକ୍ତ ଜିଲ୍ଲା ଦୌର ଜଜ୍ ମାନସ ରଞ୍ଜନ ରଥ ଉକ୍ତ ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁନ ମାସ ୨୩ ତାରିଖ ରାତିରେ ଚନ୍ଦ୍ର ଓ ତାଙ୍କ ପତ୍ନୀ କୁମାରୀ ଶବରଙ୍କ ମଧ୍ୟରେ କଳହ ହୋଇଥିଲା। ଏହାପରେ କୁମାରୀଙ୍କୁ ଚନ୍ଦ୍ର ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କୁମାରୀଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ମୃତ କୁମାରୀଙ୍କ ଭଉଣୀ ଗୁଣପୁର ଥାନାରେ ଏତଲା ଦେଇଥିଲେ। ମାମଲାର ତଦନ୍ତ କରି ଗୁଣପୁର ପୋଲିସ ଅଭିଯୁକ୍ତ ଚନ୍ଦ୍ରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌର ଜଜ୍ ମାନସ ରଞ୍ଜନ ରଥ ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଚନ୍ଦ୍ର ଶବରଙ୍କୁ ଏହି ଆଜୀବନ କାରା ଦଣ୍ଡାଦେଶ ଦିଆଯାଇଥିବା ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।