ଇସ୍ତଫା ଦେଲେ ବିଧାୟକ ତ୍ରିନାଥ ଗମାଙ୍ଗ

ପ୍ରାଥମିକ ସଭ୍ୟ ପଦରୁ ବି ଇସ୍ତଫା

ବିଜେଡିରୁ ଆଜି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ବି ଇସ୍ତଫା ଦେଇଥିବା ଜଣାଯାଇଛି ।

ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ କହିଛନ୍ତି ଯେ ଦଳ ଏଥର ତାଙ୍କସହ ବିଚାରବିମର୍ଶ ନକରି ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଜାଣିବା ପରେ ସେ ଦଳ ଛାଡିଛନ୍ତି । ସେ କହିଛନ୍ତି ଯେ ଦଳରେ ମୋତେ ଅଣଦେଖା କରାଯାଉଥିବା ବେଳେ ସେ ଜଣେ ଶିକ୍ଷିତ ଆଦିବାସୀ ହୋଇଥିଲେ ମଧ୍ୟ ତାଙ୍କ ପ୍ରତି ଚାକର ଭଳି ବ୍ୟବହାର ପ୍ରଦର୍ଶନ କଲେ । ଦଳ ଭିତରେ ବିଭିନ୍ନ ସମୟରେ ତାଙ୍କୁ ଅପମାନିତ କରାଗଲା ବୋଲି ଶ୍ରୀ ଗମାଙ୍ଗ ଅଭିଯୋଗ କରିଛନ୍ତି ।

ସେ ତାଙ୍କ ଇସ୍ତଫାପତ୍ରରେ ନବୀନ ପଟ୍ଟନାୟକଙ୍କ ପ୍ରତି ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଯେ କିଛି ନେତାଙ୍କ ଚାପ ସତ୍ୱେ ଅନ୍ୟାୟ ଓ ଅନୀତି କଲିନି କି ସେମାନଙ୍କୁ ସୁଯୋଗ ଦେଲନି । ସେଥିପାଇଁ ତାଙ୍କ ବିରୋଧରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଗଲା । ଆଦିବାସୀଙ୍କ ପ୍ରତି ନବୀନଙ୍କର ଟିକେ ହେଲେ ସ୍ନେହ ଶ୍ରଦ୍ଧା ନ ଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ବହୁ ଚେଷ୍ଟା ସତ୍ୱେ ଆପଣଙ୍କୁ ଭେଟିବାକୁ ମୋତେ ସୁଯୋଗ ମିଳିଲାନି । ଶ୍ରୀ ଗମାଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓ ପାଣ୍ଡିଆନ ସାରଙ୍କୁ ସବୁ କିଛି ଅଗତ କରିଥିବା ଉଲ୍ଲେଖ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବିଜେଡିରୁ କିଛିଦିନ ତଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ଇସ୍ତଫା ଦେଇଥିଲେ ।

Related Posts