ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ଏବେ ବ୍ୟାପିଛି ହଇଜା । ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ରେ ପହଂଚିଛି । ସେପଟେ ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ସେପଟେ ଆଜି କାଶୀପୁର ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଦକ୍ଷିଣାଞ୍ଚଳ RDC ମଧ୍ୟ ସମସ୍ତ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ।
କାଶୀପୁର, ଟିକିରି ଓ ଉତ୍କଳ ଆଲୁମିନା ହସ୍ପିଟାଲକୁ ଯାଇ ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଝାଡ଼ାବାନ୍ତି ରୋଗ କିପରି ନ ବ୍ୟାପିବ ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରିଛନ୍ତି । କାଶୀପୁର ବ୍ଳକର ଟିକିରି ସମେତ ଆଖପାଖ ୭ଟି ଗ୍ରାମରେ ଗତକିଛି ଦିନ ଧରି ବ୍ୟାପିଥିବା ହଇଜାରେ ଆକ୍ରାନ୍ତ ରୋଗୀଙ୍କ ପାଖରେ କିପରି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ।
ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ତୁରନ୍ତ ମରାମତି ସହ ନୂତନ ଜଳ ଯୋଗାଣ ପ୍ରକଳ୍ପ କାମଶୀଘ୍ର ସାରିବା ଲାଗି RDC ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବି ମେଡିକାଲ ଟିମ୍ ସହ ଗାଁକୁ ଗାଁ ବୁଲି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
