ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଗୁରୁବାର ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଥିବାବେଳେ ଆଜିର ମ୍ୟାଚ୍ ଜିତିବା ସହ ସିରିଜ କବ୍ଜା କରିବାକୁ ଯୋଜନା କରିଛି । ମାତ୍ର ଏହା ପୂର୍ବରୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଅନ୍ୟପଟରେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।
ଦଳର ପ୍ରମୁଖ ମଧ୍ୟ କ୍ରମ ବ୍ୟାଟର ସଞ୍ଜୁ ସାମସନ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବିଦର୍ଭ ୱିକେଟ୍ କିପର ଜିତେଶ ଶର୍ମାଙ୍କୁ ଦଳକୁ ଡାକରା ମିଳିଛି । ଜିତେଶ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ବେଳେ ସାମସନ୍ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ସ୍ଥାନରେ ଫୁଲା ରହିଛି । ସେ ଭାରତୀୟ ଦଳ ସହ ପୁନେ ଯାତ୍ରା କରିନାହାନ୍ତି । ଫଳରେ ମ୍ୟାଚ୍ରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ । ସାମସନ ଦଳରୁ ବାଦ ପଡ଼ିଲେ ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ କିମ୍ବା ରାହୁଲ ତ୍ରିପାଠୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।
ପ୍ରଥମ ମ୍ୟାଚ୍ ବେଳେ ଅସୁସ୍ଥ ଥିବାରୁ ଅର୍ଶଦୀପ ସିଂହ ଖେଳିପାରିନଥିଲେ । ତାଙ୍କ ଅନୁପସ୍ଥିତିରେ ଉମ୍ରାନ ମଲିକ୍, ହର୍ଷଲ ପଟେଲ ଓ ଶିବମ ମାଭି ପେସ୍ ବୋଲିଂ ବିଭାଗ ସମ୍ଭାଳିଥିଲେ । ଫିଟ୍ ଘୋଷିତ ହେଲେ ଅର୍ଶଦୀପ ଏକାଦଶକୁ ଫେରିବା ନିଶ୍ଚିତ । ଏହା ସମ୍ଭବ ହେଲେ ହର୍ଷଲ କିମ୍ବା ଉମ୍ରାନଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯିବ । ମାଭି ଏକାଦଶରେ ସ୍ଥାନ ବଜାୟ ରଖିବା ନିଶ୍ଚିତ । ପ୍ରଥମ ମ୍ୟାଚ୍ରେ ସେ ୪ଟି ୱିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।
ପ୍ରଥମ ମ୍ୟାଚ୍ରେ ଉଭୟ ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଥିଲେ । ସୂର୍ଯ୍ୟକୁମାର ୩ନଂ ସ୍ଥାନରେ ବ୍ୟାଟିଂ କରିଥିଲେ। ମାତ୍ର ସେ ତାଙ୍କ ପୂର୍ବ ସ୍ଥାନ(୪ନଂ) କୁ ଫେରିପାରନ୍ତି । ଦିନିକିଆରେ ସଫଳତା ପରେ ଗିଲ୍ ଟି-ଟ୍ୱେଣ୍ଟିରେ ପଦାର୍ପଣ କରିଥିଲେ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ ହେଁ ଆଜିର ମ୍ୟାଚ୍ରେ ତାଙ୍କ ବ୍ୟାଟ୍ରୁ ବଡ ଇନିଂସ ଦେଖିବାକୁ ମିଳିବ ।
ୱାଙ୍ଖଡ଼େରେ ଶ୍ରୀଲଙ୍କା ଅଧିନାୟକ ଡାସୁନ ଶଣକା ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତର ସବୁ ବୋଲରଙ୍କୁ ସେ ନିର୍ମମ ପ୍ରହାର କରିଥିଲେ ହେଁ ଶେଷରେ ଉମ୍ରାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ସିରିଜ ଜିତିବାକୁ ହେଲେ ଶଣକାଙ୍କୁ ଅଟକାଇବା ଜରୁରି । ଆଜିର ମ୍ୟାଚ୍ରେ ଭାରତ ତାଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ଶ୍ରୀଲଙ୍କା ମଧ୍ୟ ଏକାଦଶରେ ପରିବର୍ତ୍ତନ କରିପାରେ । କାସୁନ ରଜିଥାଙ୍କ ସ୍ଥାନରେ ଲାହିରୁ କୁମାରା ଏକାଦଶକୁ ଫେରିପାରନ୍ତି । ପ୍ରଥମ ମ୍ୟାଚ୍ରେ ରଜିଥା ୪୭ ରନ ପ୍ରଦାନ କରିଥିଲେ ।
ଭାରତର ଅନ୍ୟ ପିଚ୍ ତୁଳନାରେ ପୁନେ ପିଚ୍ର ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ। ଏଠାରେ ଖେଳାଯାଇଥିବା ମୋଟ୍ ୬୩ଟି ଟି-ଟ୍ୱେଣ୍ଟିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୪ଟି ମ୍ୟାଚ୍ ଜିତିଛନ୍ତି । କଳା ମାଟିରେ ପ୍ରସ୍ତୁତ କରାଯାଇଥିବା ପିଚ୍ ସ୍ପିନରମାନଙ୍କୁ ଅଧିକ ସହାୟତା କରିଥାଏ । ଏଠାରେ କାକର ପରିମାଣ ମଧ୍ୟ ଅପେକ୍ଷାକୃତ କମ୍ ରହିବ । ତେଣୁ ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବା ଆଶା କରାଯାଉଛି।