ଆଗାମୀ ୨ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଜାରି ରହିଛି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ପର୍ଯ୍ୟନ୍ତ ରହିଛି। ଏହାର ପ୍ରଭାବରେ ଆଗାମୀ ୨ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୩ଟି ଜିଲ୍ଲା ଢେଙ୍କାନାଳ, କଟକ ଓ ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାମାନଙ୍କର କିଛି ସ୍ଥାନରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ଆଶଙ୍କା ଥିବାରୁ ସତର୍କ କରାଯାଇଛି। ରାସ୍ତା ଓ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ। ଏହା ସହ ପାଣି ଜମିରହିଲେ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।ପ୍ରବଳ ବର୍ଷା ସମ୍ଭାବନା ଥିବା ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲା ଓ ୨୬ ତାରିଖରେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖ ଠାରୁ କମିବ ବର୍ଷା। ଜୁନ ୧ରୁ ଏଯାଏ ରାଜ୍ୟରେ ଏକ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୪୫୮.୮ ମିମି ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୬୩.୭ମିମି ବର୍ଷା ହୋଇଛି। ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ୨ଟି ଜିଲ୍ଲା ସୁନ୍ଦରଗଡ଼ ଓ ସମ୍ବଲପୁରରେ ନିଅଣ୍ଟିଆ ବର୍ଷା ହୋଇଛି।.ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ୬ଟି ବଳଦଙ୍କ ଜୀବନ ନେଇଛି ବଜ୍ରପାତ।

Related Posts