
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାହ | ଅସହ୍ୟ ଗରମରେ ଛଟପଟ ଜନଜୀବନ | ତେବେ ଖାଲି ଗରମ ନୁହେ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ ବଢ଼ିଯିବ । ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା ଦିନ ତାପମାତ୍ରା । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ରାଜ୍ୟରେ ଶନିବାରଠାରୁ ଗରମ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବି ଆକଳନ କରିଛନ୍ତି ।ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢିବ । ଶନିବାରରୁ ସୋମବାର ଯାଏ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ୨୬ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । ୨୭ରୁ ୨୯ ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ ୪୬ଡିଗ୍ରୀ ଟପିଯିିବ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢ଼ିବ ବୋଲି ସେ କହିଛନ୍ତି ।
ସେପଟେ ଶୁକ୍ରବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିଲା । ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ଥିଲା । ଏହି ୩ ସହରକୁ ଛାଡ଼ି ବାକି ସବୁ ସ୍ଥାନରେ ତାପମାତ୍ରା କମ୍ ଥିଲା । ତାଳଚେରରେ ୩୫.୬, ବଲାଙ୍ଗୀରରେ ୩୫.୭, ଟିଟିଲାଗଡରେ ୩୬, ବାଲେଶ୍ୱରରେ ୩୬.୯ ଓ ସୋନପୁରରେ ତାପମାତ୍ରା ୩୭ ଡିଗ୍ରୀ ଥିଲା । କିନ୍ତୁ ରାଜଧାନୀରେ ଅସହ୍ୟ ଗୁଳଗୁଳି ହୋଇଥିଲା । ମଧ୍ୟାହ୍ନରେ ବାହାରକୁ ଗଲେ ଦେହ ଓ ହାତ ପୋଡ଼ି ଯାଉଥିଲା । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଗରମ ପବନ ବହୁଥିଲା ।
ଶନିବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହାସହିତ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କୋରାପୁଟ, କଳାହାଣ୍ଡ, କନ୍ଧମାଳ, ରାୟଗଡା, ଗଜପତି, ବୌ. ଅନୁଗୁଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ।