୯ ତାରିଖ ଯାଏଁ ପ୍ରବଳ ଛେଚିବ ବର୍ଷା

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଲଗାଣ ବର୍ଷା ରେ ଏବେ ଭିଯିବ ସାରା ଓଡ଼ିଶା। ଆଗକୁ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ, ୯ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୭ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଭାରି ବର୍ଷା ହେବ ।

୬ରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୭ରେ ପୁରୀ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀରେ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟିର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।

୮ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୯ରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ଜିଲ୍ଲାରେ ଭାରି ବର୍ଷା ହୋଇପାରେ । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ଯାଜପୁର ଓ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତା ତିିନି ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଭୁସ୍ଖଳନ ସହ କଚ୍ଚା ରାସ୍ତା ଧୋଇଯିବାର ଆଶଙ୍କା ରହିଛି ବୋଲି ବିଭାଗ ସତର୍କ କରାଇଛି ।

ଶୁକ୍ରବାର ରାଜ୍ୟର ଗୋଟିଏ ଦୁଇଟି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇଛି । ଖୋର୍ଦ୍ଧାରେ ୪୪ମିମି, ପୁରୀରେ ୩୫ ମିମି ବର୍ଷା ହୋଇଛି । ଜଗତସିଂହପୁରରେ ୧୧.୪ମିମି, ନୟାଗଡ଼ରେ ୧୦ମିମି ବର୍ଷା ହୋଇଛି ।

ଅଗଷ୍ଟ ମାସ ପ୍ରଥମ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବ ଓ ଉତ୍ତରରେ କମ୍‌ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଶନିବାର ଉପରବେଳାରୁ ରାତି ଭିତରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ସମୁଦ୍ରରେ ଦୁଇ ଦିନ ରହି ଛତିଶଗଡ଼କୁ ମୁହାଁଇବ । ୧୧ରେ ଏହା ମହାରାଷ୍ଟ୍ର ଓ ସଂଲଗ୍ନ ଗୁଜରାଟରେ ରହିବ । ଲଘୁଚାପ ପ୍ରଭାବରେ ୬ରୁ ୯ ତାରିଖ ପ୍ରବଳ ବର୍ଷା ହେବ । ୭ରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ପ୍ରବଳ ବର୍ଷିବ । ୮ରେ ମଧ୍ୟ ଆଭ୍ୟନ୍ତରୀଣ ଦକ୍ଷିଣରେ ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଓ ସୋନପୁର ଭଳି ୯ ଜିଲ୍ଲାରେ ଆସନ୍ତା ୪ ଦିନ ମୋଟ ୧୦୦ରୁ ୧୨୦ ମିଲିମିଟର ବର୍ଷା ହୋଇପାରେ । ବାକି ଉପକୂଳ, କେନ୍ଦ୍ରୀୟ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ୧୬ ଜିଲ୍ଲାରେ ୬୦ ମିମି ବର୍ଷା ହୋଇପାରେ । ଭୁବନେଶ୍ୱରରେ ୭୦ ମିମି ବର୍ଷା ହୋଇପାରେ । ସୁନ୍ଦରଗଡ଼ ଓ କେନ୍ଦୁଝର ଭଳି ନିଅଣ୍ଟିଆ ଜିଲ୍ଲାରେ ସବୁଠୁ କମ୍‌ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

୧୩ରେ ଦ୍ୱିତୀୟ ଲଘୁଚାପ ହେବ । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ସଂଲଗ୍ନ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ପୂରା ଓଡ଼ିଶାରେ ଅଧିକ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ନାଗାବଳୀ ଓ ବଂଶଧାରା ନଦୀ ଫୁଲିପାରେ ବୋଲି ସେ ସତର୍କ କରାଇଛନ୍ତି।

Related Posts