୫ ଦିନିଆ ଇଡି ରିମାଣ୍ଡରେ ଗଲେ ହେମନ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇଡି ରିମାଣ୍ଡରେ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଗତ ବୁଧବାର (୩୧)ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ଇଡି । ଜମି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରିଥିଲା।

ଏହାପରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୋରେନ। ଆଜି ଏ ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଦେବା ସହ ହାଇକୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏହାର କିଛି ସମୟ ପରେ ଇଡି ତାଙ୍କୁ ଅଧିକ ଜେରା ପାଇଁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି।

ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ ପଠାଇଥିଲା ଇଡି। କିନ୍ତୁ ସେ ହାଜର ହୋଇନଥିଲେ। ଶେଷରେ ଜେରା ପାଇଁ ତାଙ୍କ ବାସଭବନରେ ଇଡି ପହଞ୍ଚିଥିଲା। କିନ୍ତୁ ୩୦ ଘଣ୍ଟାରୁ ଅଧିକ ସମୟ ପାଇଁ କୁଆଡେ ଚାଲି ଯାଇଥିଲେ ସୋରେନ। ସୋମବାର ଇଡି ଅଧିକାରୀମାନେ ତାଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଚଢାଉ କରିଥିଲେ। ରେଡ଼ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ଓ ଦୁଇଟି ଦାମୀ BMW କାରକୁ ମଧ୍ୟ ଜବତ କରିଥିଲେ। ଏହାପରେ ବୁଧବାର ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଇଡି ତାଙ୍କୁ ଗିରଫ କରିଛି।

Related Posts