ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଇଦ୍ ପାଳନ ବେଳେ ଗୋହତ୍ୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ସର୍ବସାଧାରଣରେ ଗୋହତ୍ୟା ଉପରେ ପଶ୍ଚିମବଙ୍ଗ ସରକାର ଯେଉଁ କଟକଣା ଲଗାଇଥିଲେ ତାହାକୁ କାଲକାଟା ହାଇକୋର୍ଟ କାଏମ ରଖିଛନ୍ତି। ଆଗକୁ ଇଦ୍ ଉଜ୍ ଜୁହା ଥିବାବେଳେ ପଶ୍ଚିମବଙ୍ଗ ସରକାର ସର୍ବସାଧାରଣରେ ଗୋହତ୍ୟା ଉପରେ କଟକଣା ଲଗାଇ ଗତ ମେ’ ୧୩ ତାରିଖରେ ଏକ ନିର୍ଦ୍ଦେଶାବଳି ଜାରି କରିଥିଲେ। କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ଟିଏମସି ଏମ୍ପି ମହୁଆ ମୋଇତ୍ରାଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ସେପଟେ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ସୁଜୟ ପାଲ୍ ଏବଂ ଜଷ୍ଟିସ ପାର୍ଥ ସାରଥୀ ସେନ ସରକାରଙ୍କ କଟକଣାକୁ କାଏମ ରଖିଛନ୍ତି ଏବଂ ସର୍ବସାଧାରଣ ସ୍ଥଳରେ ଗୋହତ୍ୟାକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରିଛନ୍ତି। କୋର୍ଟ କହିଛନ୍ତି, ଗୋହତ୍ୟା କରିବା କୌଣସି ଧାର୍ମିକ ଉତ୍ସବର ଏକ ଅଂଶ ନୁହେଁ। ସର୍ବସାଧାରଣରେ ଗାଈ କିମ୍ବା ମଇଁଷି ହତ୍ୟାକୁ କଡ଼ାକଡ଼ି ନିଷିଦ୍ଧ କରାଯାଉଛି। କୋର୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଉଦ୍ଧୃତ କରି କହିଛନ୍ତି, ଗୋ ହତ୍ୟା ଇଦ୍ ଉଲ୍ ଆଧାର ଏକ ଜରୁରୀ ଅଂଶ ନୁହେଁ କି ଏହା ଇସଲାମ ଅଧୀନରେ ଏକ ବାଧ୍ୟତାମୂଳକ ଧାର୍ମିକ ଅଭ୍ୟାସ ନୁହେଁ।
