କନଷ୍ଟେବଲ ନିଯୁକ୍ତି ନେଇ ହାଇକୋର୍ଟଙ୍କ ବଡ ରାୟ; ଆବେଦନ ପାଇଁ ୪ ବର୍ଷ କୋହଳ ହେଲା ବୟସସୀମା

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପୁଲିସ୍‌ କନଷ୍ଟେବଲ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମାକୁ ଆଉ ୪ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ଓଡିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପାଇଁ ଏହି କୋହଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ଆଧାରରେ ଆସନ୍ତା ୩୦ ତାରିଖ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଜଷ୍ଟିସ୍‌ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ କହିଛନ୍ତି।

ସେହିପରି ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଆସନ୍ତା ଫେବୃଆରୀ ୧୦ ତାରିଖ ଯାଏଁ ଆବେଦନ ଗ୍ରହଣ କରିବା ସହ ସେହି ମାସ ୨୦ ତାରିଖରେ ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ଗତ ଡ଼ିସେମ୍ବର ୩୦ ତାରିଖରେ ୪୭୯୦ଟି ଓଡ଼ିଶା ପୁଲିସ କନଷ୍ଟେବଲ ପଦବୀ ପାଇଁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ସମାନ ପଦବୀ ପାଇଁ ଶେଷ ଥର ୨୦୧୮ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା କାରଣରୁ ୪ ବର୍ଷ ଧରି କନଷ୍ଟେବଲ ନିଯୁକ୍ତି ହୋଇନଥିଲା। ଅନ୍ୟପଟେ କରୋନା କାରଣରୁ ଗତ ୨୦୨୨ ଜାନୁଆରୀ ୧୧ ତାରିଖରେ ସମସ୍ତ ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି କରାଯିବ ବୋଲି ସେହି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହେଲେ କନଷ୍ଟେବଲଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରାଯାଇନଥିଲା। ଏହାକୁ ବିରୋଧ କରି କନଷ୍ଟେବଲ ଆଶାୟୀମାନେ ବୟସସୀମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ବିଜ୍ଞପ୍ତି ପାଇଁ ବୟସସୀମା କୋହଳ କରିଥିଲେ ମଧ୍ୟ ଅନ୍ୟ ପଦବୀ ଭଳି ପୁଲିସ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଛନ୍ତି।

Related Posts