ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ବର୍ଷ ହୋଇଥିଲା।

ସୂଚନା ଅନୁସାରେ, ଅକ୍ଲାନ୍ତଙ୍କର ଲିଭର ଜନିତ ସମସ୍ୟା ଥିଲା। ଏଥିପାଇଁ ସେ ଏକ ମାସ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହେଲେ ହଠାତ୍‌ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହୋଇଥିଲା।

ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗତକାଲି ରାତିରେ ତାଙ୍କୁ କଟକ ଅଣାଯାଇଥିଲା। ଆଜି ସକାଳେ କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ତାଙ୍କର ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଜାନୁଆରୀ ମାସ ୧୧ ତାରିଖରେ ମିହିର ଦାଶଙ୍କ ପରଲୋକ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମିହିର ଦାଶଙ୍କ ମୃତ୍ୟୁର ବର୍ଷେ ପରେ ତାଙ୍କ ପୁଅ ଅକ୍ଲାନ୍ତଙ୍କ ମୃତ୍ୟୁ ଘଟିଛି। ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Related Posts