ସରାଙ୍ଗ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ଉନ୍ନତମାନର ଭିତ୍ତିଭୂମି ପ୍ରସ୍ତୁତ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରାଙ୍ଗ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି କଲେଜ ପାଇବ ନୂଆ ରୂପ । ତେବେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବୈଷୟିକ ଶିକ୍ଷାକୁ ଗୁରୁତ୍ବ ଦେଇ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ସେ ଉଦ୍ୟମ କରୁଛନ୍ତି। ତେଣୁ ଖୁବ୍ଶୀଘ୍ର ଏହି ପୁରାତନ ଇଞ୍ଜିନିୟରିଂ କଲେଜ ନୂଆ ରୂପ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଅନୁଗୁଳ ଗସ୍ତରେ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଦ୍ବିତୀୟ ଥର ପାଇଁ ସେ ଏହି ସରକାରୀ ଗସ୍ତରେ ଆସିଛନ୍ତି। ସେ କହିଛନ୍ତି ଯେ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏଠାରେ କଳକାରଖାନା ଓ ଖଣିଖାଦାନ ଥିବାରୁ ଏଠାରୁ ବାହାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ନେଇ ସମସ୍ୟା ରହିବନାହିଁ। ତେଣୁ ଏଠାରେ କୌଣସି ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବଦଳରେ ଆଗରୁ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକର ବିକାଶ ଜରୁରୀ।

ତେଣୁ ସରାଙ୍ଗସ୍ଥିତ ଆଇଜିଆଇଟିର ବିକାଶ ନେଇ ସେ ଯୋଜନା କରିଛନ୍ତି। ଏହାକୁ ନୂଆରୂପ ଦିଆଯିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହାସହିତ ଏଠାରେ ଅଧିକ ବିଭାଗ ଖୋଲି ପିଲାଙ୍କୁ ପଢ଼ିବାର ବିକଳ୍ପ ଯୋଗାଇ ଦିଆଯିବ। ଏହି ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଥିବା ସେ କହିଛନ୍ତି। ଏପଟେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଅନେକ ଆଇଟିଆଇ ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ପୁଣି ଏଗୁଡିକ ଅପଡେଟ୍ ରହିବା ଦରକାର। ଯେମିତି ଏଠାରୁ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ଫେରୁଥିବା ପିଲାମାନେ ଆଉ ବେକାର ହେବେ ନାହିଁ। ବରଂ, ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀଙ୍କ ଚାହିଦା ଯେମିତି ବଢ଼ିବ ସେ ଦିଗରେ ଧ୍ୟାନ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts