ଟିକେଟକୁ ନେଇ ବିଜେପିରେ ଅସନ୍ତୋଷ

ବିଜେପି ପାର୍ଟି ଅଫିସରେ ତାଲା ପକାଇ ହଙ୍ଗାମା

ଟିକେଟକୁ ନେଇ ବିଜେପିରେ ବଢୁଛି ଅସନ୍ତୋଷ । ଦଳୀୟ ଟିକେଟରୁ ବଞ୍ଚିତ କୃଷ୍ଣ ପଣ୍ଡା ଓ ଅମୀୟ ଦାଶଙ୍କ ସମର୍ଥକମାନେ ବିଜେପି ପାର୍ଟି ଅଫିସରେ ତାଲା ପକାଇ ହଙ୍ଗାମା କରିଛନ୍ତି । ଭୁବନେଶ୍ୱର ଏକାମ୍ରରୁ ୨୦୧୪ରେ ନିର୍ବାଚନ ଲଢିଥିବା ଅମୀୟ ଦାଶଙ୍କ ସମର୍ଥକମାନେ ଶୁକ୍ରବାର ଭଳି ଆଜି ମଧ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇ ନାରାବାଜୀ କରିଛନ୍ତି ।

ସେହିପରି ରାଜନଗରରୁ ଅଲେଖ ଜେନାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଳି ଓ ରାଜନଗରର ବହୁ ଦଳୀୟ କର୍ମୀ ବିଜେପି ପାର୍ଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମିଶ୍ରଣ ପର୍ବ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ କରାଯାଇଛି ।

ସେହିପରି ବରଗଡ଼ ଲୋକସଭା ଆସନରେ ସୁବାସ ଚୌହ୍ୱାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାରୁ ଶ୍ରୀ ଚୌହ୍ୱାନଙ୍କ ସମର୍ଥକମାନେ ବଡ଼ ଧରଣର ପ୍ରତିବାଦ କରିଛନ୍ତି । ବରଗଡ଼ରେ ଶ୍ରୀ ଚୌହ୍ୱାନଙ୍କ ସମର୍ଥକମାନେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜୀ କରିଛନ୍ତି ।

ଭଦ୍ରକରେ ମଧ୍ୟ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ସାମ୍ନାକୁ ଆସିଛି । ବାସୁଦେବପୁରରୁ ଦୀନବନ୍ଧୁ ପତିଙ୍କୁ ଟିକେଟ ଦିଆଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଏଠାରେ ବିଜେପି ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାରୁ ସେଠାରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଦଳୀୟ ଟିକେଟରୁ ବଞ୍ଚିତ ବିଜେପିର ବରିଷ୍ଠ ନେତା ତଥା ଖଡିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଖଡିଆଳ ଆସନରୁ ରିତାରାଣୀ ବଗର୍ତିଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦୁର୍ଯ୍ୟୋଧନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସେପଟେ ବିଜେପିରେ ଟିକଟ ବଣ୍ଟନକୁ ନେଇ ପଦାକୁ ଆସିଛି ଦଳୀୟ ଅସନ୍ତୋଷ । କୋରାପୁଟ ଲକ୍ଷ୍ମୀପୁରରେ ବିଜେପି ଅଫିସରେ ଭଙ୍ଗାରୁଜା ସହିତ ପୋଡାଜଳା କରିଛନ୍ତି ଦଳୀୟ କର୍ମୀ । ଲକ୍ଷ୍ମୀପୁର ଆସନରୁ କୁମୁଦ ଚନ୍ଦ୍ର ସାଉନ୍ତଙ୍କୁ ଟିକଟ ମିଳିବା ପରେ ଏହି ବିରୋଧ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳର ସଭାପତିଙ୍କ ସହିତ କର୍ମକର୍ତ୍ତା ଓ ଆଶାୟୀ ପ୍ରାର୍ଥୀ ବିରୋଧ ପ୍ରଦର୍ଶନ କରିବା ପରେ ବ୍ଲକ ଅଫିସରେ ପୋଡାଜଳା କରିଥିଲେ । ଚଳିତ ଥର ଏଠାରୁ ଟିକଟ ଆଶାୟୀ ଥିଲେ ୬ ଜଣ ।

ତେବେ ମାତ୍ର ୨ ମାସ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା କୁମୁଦଙ୍କୁ ମିଳିଛି ବିଧାନସଭା ଟିକେଟ । ଜିଲ୍ଲା ବିଜେପି ସଭାପତି ଓ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଟଙ୍କା କାରବାର କରି କୁମୁଦ ସାଉନ୍ତଙ୍କୁ ଟିକେଟ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟରାମ । ସେପଟେ କୁମୁଦ ସାଉନ୍ତଙ୍କ ଟିକେଟ ପ୍ରତ୍ୟାହାର ନକଲେ ୫ ହଜାର କର୍ମୀଙ୍କ ସହିତ ୪ ଟି ମଣ୍ଡଳର ସଭାପତି ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦିଆଯାଇଛି ।

Related Posts