ପଦ୍ମ ଧରିଲେ ପ୍ରତ୍ୟୁଷା

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଲାଗି ରହିଥିବା ପଲିଟିକାଲ ସସପେନ୍ସର ଅନ୍ତ ଘଟିଛି । ସମସ୍ତ ଚର୍ଚ୍ଚାକୁ ଶେଷ କରି ଆଜି ପ୍ରତ୍ୟୁଷା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ଦଳ ତାଙ୍କୁ କନ୍ଧମାଳ ସାଂସଦ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳୁଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ଭୁବନେଶ୍ୱର ସ୍ଥିତ ବାସଭନରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।

ପ୍ରତ୍ୟୁଷା ରାଜେଶ୍ୱରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ଆଜି ବିଜେପିରେ ଯୋଗ ଦେଇଛି । କନ୍ଧମାଳ ଲୋକସଭା ଆସନରୁ ଟିକେଟ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିଲେ । ଟିକେଟ୍ ନ ଦେଇ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ ।

ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଥିଲେ । ଏପରିକି ଅରୁଣ ତାଙ୍କୁ ହଇରାଣ କରୁଥିବା ସେ କହିଥିଲେ । ତେବେ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଥିଲେ । ତେବେ ସେ ବିଜେପିରେ ଯୋଗ ଦେବା ପରେ କଂଗ୍ରେସର ଆଶା ମଉଳି ଯାଇଛି ।

ଗୋଟିଏ ପଟେ ପ୍ରତ୍ୟୁଷା ବିଜେପିରେ ସାମିଲ ହେବା ପରେ ନୟାଗଡ ବିଜେପିର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି । କାରଣ ତାଙ୍କ ସ୍ୱାମୀ ହେମେନ୍ଦ୍ର ଚନ୍ଦ୍ର ସିଂ ୨୦୦୯ରେ ଅରୁଣଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ସ୍ୱାଧୀନ ଭାବେ ଲଢି ଅରୁଣଙ୍କୁ କଡା ଟକ୍କର ଦେଇଥିଲେ । ତେବେ ୨୦୧୪ରେ ସେ ବିଜେଡିରେ ସାମିଲ ହୋଇ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ତାଙ୍କର ଦେହାନ୍ତ ପରେ ବିଜେଡି ତାଙ୍କ ପତ୍ନୀ ପ୍ରତ୍ୟୁଷାଙ୍କୁ ଟିକେଟ ଦେଇଥିଲା ।

ପ୍ରତ୍ୟୁଷା ବିଜେପିରେ ସାମିଲ ହେବା ପରେ ଅରୁଣଙ୍କୁ ବଡ଼ ଝଟକା ଲାଗିଛି । କାରଣ ପ୍ରତ୍ୟୁଷାଙ୍କ ନୟାଗଡ ନିର୍ବାଚନ ମଣ୍ଡଳୀରେ ନିଜର ଭୋଟବ୍ୟାଙ୍କ ରହିଛି । ସେ ଯେହେତୁ ବିଜେଡିରେ ଥିଲେ ଏବଂ ତାଙ୍କର ନୟାଗଡରେ ସମାନ୍ତରାଳ ସଙ୍ଗଠନ ମଧ୍ୟ ରହିଛି । ଯାହା ଏବେ ବିଜେପିକୁ ଫାଇଦା ପହଞ୍ଚାଇବ । ବିଜେପି ଏଠାରୁ ଇରାନୀ ରାୟଙ୍କୁ ପ୍ରାର୍ଥୀ କରିଛି । ଯାହାର ଲାଭ ସିଧାସଳଖ ଲାଭ ଇରାନୀଙ୍କୁ ମିଳିବ । ସ୍ୱାଭାବିକ ଭାବେ ବିଜେପି ଶକ୍ତିଶାଳୀ ହେବ । ଏପରିକି ଅରୁଣଙ୍କ ପାଇଁ ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହେବ ।

Related Posts