ଅଧ୍ୟାପକଙ୍କୁ ଆନ୍ଦୋଳନ ମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ଧାରଣା ବିକ୍ଷୋଭରୁ ଦୂରେଇ ରଖିବାକୁ ସରକାରଙ୍କ ନୂଆ ଚାଲାକି । ଏଣିକି ଆଉ ଅଧ୍ୟାପକ-କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ । ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ବିକ୍ଷୋଭ, ଧାରଣା କିମ୍ବା ପ୍ରତିବାଦ କରିବେ ତେବେ ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ଏକ ନିର୍ଦ୍ଦେଶନାମା ଜାରୀ କରିଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତା ୨୦ ତାରିଖରେ ୪୮୮ ବର୍ଗ କଲେଜ ସଙ୍ଗଠନ ପକ୍ଷରୁ ବିଧାନସଭା ଘେରାଉ କୁ ନଜରରେ ରଖି ନିର୍ଦ୍ଦେଶ ଜାରି କରାଯାଇଥିବା କୁହାଯାଉଛି ।

ଛୁଟି ଏକ ଅଧିକାର ନୁହେଁ ବରଂ ଏହା କତ୍ତୃପକ୍ଷଙ୍କ ଇଚ୍ଛାଧୀନ ବ୍ୟାପାର । ଜଣେ ଅଧ୍ୟାପକ ବା କର୍ମଚାରୀ ଏଣିକି ଅଧ୍ୟକ୍ଷଙ୍କୁ ବିନା ସନ୍ତୋଷଜନକ କାରଣରେ ଛୁଟିରେ ରହିଲେ ତାହା ଅନ ଅଥରାଇଜ୍ଡ ଲିଭ୍ ବୋଲି ବିବେଚନା କରାଯିବ । ଏପରିକି ଯଦି ଛୁଟି ନେଇ ବିକ୍ଷୋଭ କିମ୍ବା ଧାରଣାରେ ଯୋଗ ଦିଅନ୍ତି ତା’ହେଲେ କାମ ନାହିଁ ତ ବେତନ ନାହିଁ ହିସାବରେ ବିବେଚନା କରାଯିବ ଏବଂ ସେଥିପାଇଁ ସମ୍ପୃକ୍ତ ଅଧ୍ୟକ୍ଷ ଦାୟୀ ରହିବେ । ଅର୍ଥାତ ନିଜର ଅଧିକାର ପାଇଁ ବଉ ଅଧ୍ୟାପକ କିମ୍ବା କର୍ମଚାରୀ ଆଉ ଧାରଣା ଦେଇ ପ୍ରତିବାଦ କରିପାରିବେ ନାହିଁ ।

ସୂଚନାଅନୁସାରେ ଫେବ୍ରୁଆରି ୨୦ ତାରିଖରେ ୪୮୮ ବର୍ଗ କଲେଜ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ସ୍ଥିର କରିଥିଲେ । ଏହାକୁ ନଜରରେ ରଖି ଏଭଳି ନିର୍ଦ୍ଦଶନାମା ଜାରୀ କରାଯାଇଛି । ଏଥିରେ ଖିଲାପ କଲେ ଦରମା ବନ୍ଦ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ।

ଏଭଳି ଏକଛତ୍ରବାଦ ନିଷ୍ପତ୍ତି ବୋଧହୁଏ ସମଗ୍ର ଓଡିଶାର ଶିକ୍ଷା ଇତିହାସରେ ପ୍ରଥମ । ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବିକୁ ଉପସ୍ଥାପନ କରିବାକୁ ଏଣିକି ଆଉ ଦିଆଯିବ ନାହିଁ । ପୂର୍ବରୁ ଶିକ୍ଷକ ସଂଗଠନ ପାଖରେ ସରକାର ମୁଣ୍ଡ ନଉଁଥିଲେ ହେଲେ ଏବେ ସମୟ ବଦଳିଯାଇଛି, ସଙ୍ଗଠନ ସରକାର କଥାରେ ଉଠବସ୍ ହେଉଛି । ନ୍ୟାୟାଳୟଙ୍କ ବାରମ୍ବାର ତାଗିଦ୍ ସତ୍ତ୍ବେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଆଉ ଅଧ୍ୟାପକ କର୍ମଚାରୀମାନେ ବିରୋଧ କଲେ ତାକୁ ଏଭଳି ଚିଠି ମାଧ୍ୟମରେ ଚେତାବନୀ ଦେବା କଥା ନଜରକୁ ଆସିଛି । ୪୮୮ ବର୍ଗ ଅଧ୍ୟାପକ କର୍ମଚାରୀଙ୍କ ସାମ୍ଭାବ୍ୟ ଆନ୍ଦୋଳନକୁ ଆଖିରେ ରଖି ଏହାକୁ ଭଣ୍ଡୁର କରିବା ଯୋଜନାରେ ଉଚ୍ଚଶିକ୍ଷା ସଚିବ ଅଛନ୍ତି ବୋଲି ୪୮୮ ବର୍ଗର ସମ୍ପାଦକ ଅଭିଯୋଗ କରିଛନ୍ତି ।

ଅଧ୍ୟାପକ ସଂଘ ନେତାଙ୍କ କହିବା କଥା ଯେ, ରାଜ୍ୟର ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପରି ଏହି ଅଧ୍ୟାପକ କର୍ମଚାରୀମାନେ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ଦରମା ଭତ୍ତା ଆଦି ସୁବିଧା ପାଉନଥିବା ବେଳେ ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ।
Related Posts