(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ଧାରଣା ବିକ୍ଷୋଭରୁ ଦୂରେଇ ରଖିବାକୁ ସରକାରଙ୍କ ନୂଆ ଚାଲାକି । ଏଣିକି ଆଉ ଅଧ୍ୟାପକ-କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ । ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ବିକ୍ଷୋଭ, ଧାରଣା କିମ୍ବା ପ୍ରତିବାଦ କରିବେ ତେବେ ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ଏକ ନିର୍ଦ୍ଦେଶନାମା ଜାରୀ କରିଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତା ୨୦ ତାରିଖରେ ୪୮୮ ବର୍ଗ କଲେଜ ସଙ୍ଗଠନ ପକ୍ଷରୁ ବିଧାନସଭା ଘେରାଉ କୁ ନଜରରେ ରଖି ନିର୍ଦ୍ଦେଶ ଜାରି କରାଯାଇଥିବା କୁହାଯାଉଛି ।
ଛୁଟି ଏକ ଅଧିକାର ନୁହେଁ ବରଂ ଏହା କତ୍ତୃପକ୍ଷଙ୍କ ଇଚ୍ଛାଧୀନ ବ୍ୟାପାର । ଜଣେ ଅଧ୍ୟାପକ ବା କର୍ମଚାରୀ ଏଣିକି ଅଧ୍ୟକ୍ଷଙ୍କୁ ବିନା ସନ୍ତୋଷଜନକ କାରଣରେ ଛୁଟିରେ ରହିଲେ ତାହା ଅନ ଅଥରାଇଜ୍ଡ ଲିଭ୍ ବୋଲି ବିବେଚନା କରାଯିବ । ଏପରିକି ଯଦି ଛୁଟି ନେଇ ବିକ୍ଷୋଭ କିମ୍ବା ଧାରଣାରେ ଯୋଗ ଦିଅନ୍ତି ତା’ହେଲେ କାମ ନାହିଁ ତ ବେତନ ନାହିଁ ହିସାବରେ ବିବେଚନା କରାଯିବ ଏବଂ ସେଥିପାଇଁ ସମ୍ପୃକ୍ତ ଅଧ୍ୟକ୍ଷ ଦାୟୀ ରହିବେ । ଅର୍ଥାତ ନିଜର ଅଧିକାର ପାଇଁ ବଉ ଅଧ୍ୟାପକ କିମ୍ବା କର୍ମଚାରୀ ଆଉ ଧାରଣା ଦେଇ ପ୍ରତିବାଦ କରିପାରିବେ ନାହିଁ ।
ସୂଚନାଅନୁସାରେ ଫେବ୍ରୁଆରି ୨୦ ତାରିଖରେ ୪୮୮ ବର୍ଗ କଲେଜ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ସ୍ଥିର କରିଥିଲେ । ଏହାକୁ ନଜରରେ ରଖି ଏଭଳି ନିର୍ଦ୍ଦଶନାମା ଜାରୀ କରାଯାଇଛି । ଏଥିରେ ଖିଲାପ କଲେ ଦରମା ବନ୍ଦ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ।

ଏଭଳି ଏକଛତ୍ରବାଦ ନିଷ୍ପତ୍ତି ବୋଧହୁଏ ସମଗ୍ର ଓଡିଶାର ଶିକ୍ଷା ଇତିହାସରେ ପ୍ରଥମ । ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବିକୁ ଉପସ୍ଥାପନ କରିବାକୁ ଏଣିକି ଆଉ ଦିଆଯିବ ନାହିଁ । ପୂର୍ବରୁ ଶିକ୍ଷକ ସଂଗଠନ ପାଖରେ ସରକାର ମୁଣ୍ଡ ନଉଁଥିଲେ ହେଲେ ଏବେ ସମୟ ବଦଳିଯାଇଛି, ସଙ୍ଗଠନ ସରକାର କଥାରେ ଉଠବସ୍ ହେଉଛି । ନ୍ୟାୟାଳୟଙ୍କ ବାରମ୍ବାର ତାଗିଦ୍ ସତ୍ତ୍ବେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଆଉ ଅଧ୍ୟାପକ କର୍ମଚାରୀମାନେ ବିରୋଧ କଲେ ତାକୁ ଏଭଳି ଚିଠି ମାଧ୍ୟମରେ ଚେତାବନୀ ଦେବା କଥା ନଜରକୁ ଆସିଛି । ୪୮୮ ବର୍ଗ ଅଧ୍ୟାପକ କର୍ମଚାରୀଙ୍କ ସାମ୍ଭାବ୍ୟ ଆନ୍ଦୋଳନକୁ ଆଖିରେ ରଖି ଏହାକୁ ଭଣ୍ଡୁର କରିବା ଯୋଜନାରେ ଉଚ୍ଚଶିକ୍ଷା ସଚିବ ଅଛନ୍ତି ବୋଲି ୪୮୮ ବର୍ଗର ସମ୍ପାଦକ ଅଭିଯୋଗ କରିଛନ୍ତି ।

