ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିଜାବକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ହିଜାବକୁ ନେଇ ନିଷ୍ପତ୍ତି ଶୁଣାଇଛନ୍ତି । ସେପଟେ ହିଜାବ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ କର୍ଣ୍ଣାଟକର ଯାଦଗିରର ସୁରପୁରା ତହସିଲ କେମ୍ବାଭି ସରକାରୀ ପିୟୁ କଲେଜର ଛାତ୍ରୀମାନେ ଏହି ରାୟକୁ ବିରୋଧ କରି ପରୀକ୍ଷାକୁ ଅଧାରେ ଛାଡ଼ି ଶ୍ରେଣୀଗୃହ ଛାଡ଼ି ଚାଲିଗଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ କଲେଜର ଛାତ୍ରୀମାନଙ୍କ ପରୀକ୍ଷା ପ୍ରସ୍ତୁତି ନେଇ ଏକ ପରୀକ୍ଷା ଥିଲା । କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ମାତ୍ରେ ସେମାନେ ଶ୍ରେଣୀଗୃହକୁ ତ୍ୟାଗ କରିଥିଲେ ।

ଅନ୍ୟପଟେ କଲେଜରେ ଛାତ୍ରୀମାନଙ୍କ ପରୀକ୍ଷା ସକାଳ ୧୦ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ହେବାକୁ ଥିଲା । କିନ୍ତୁ ଏହି ସମୟରେ କଲେଜ ପ୍ରିନ୍ସପାଲ ଡକ୍ଟର ଶକୁନ୍ତଳା ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ । କେବଳ ହିଜାବ ପିନ୍ଧି ପରୀକ୍ଷା ଦେବୁ । ଯଦି ଆମକୁ ହିଜାବ ହଟାଇବାକୁ କୁହନ୍ତି ତାହାଲେ ଆମେ ପରୀକ୍ଷା ଦେବୁ ନାହିଁ ବୋଲି କହି କ୍ଲାସ ବର୍ଜନ କରି ଛାତ୍ରୀମାନେ ବାହାରକୁ ପଳାଇଆସିଥିଲେ । ତେବେ ୩୫ ଜଣ ଛାତ୍ରୀ ପରୀକ୍ଷା ଛାଡ଼ି ଶ୍ରେଣୀଗୃହ ତ୍ୟାଗ କରିଛନ୍ତି । ସେପଟେ ଏନେଇ ଛାତ୍ରୀମାନେ ତାଙ୍କ ଅଭିଭାବକମାନଙ୍କ ସହ କଥା ହେବେ, ଏହା ପରେ ସ୍ଥିର କରାଯିବ କି ସେମାନେ ହିଜାବ ପିନ୍ଧି ଶ୍ରେଣୀ ଗୃହକୁ ପ୍ରବେଶ କରିବେ କି ନାହିଁ ବୋଲି କହିଛନ୍ତି ।