ଲାଉଡସ୍ପିକରରେ ଅଜାନ ଦ୍ଵାରା କୌଣସି ଧର୍ମର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ : କର୍ଣ୍ଣାଟକ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମସଜିଦରେ ଅଜାନ ସମୟରେ ଲାଉଡସ୍ପିକର ବ୍ୟବହାର କୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୋମବାର କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଲାଉଡସ୍ପିକର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ଲାଉଡସ୍ପିକରରେ ଅଜାନ ବେଳେ ଅନ୍ୟ ଧର୍ମର ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଏହାସହ ମାନ୍ୟବର ହାଇକୋର୍ଟ ଲାଉସ୍ପିକର ଉପରେ ରୋକ୍ ଲଗାଇବା ନେଇ ଆଦେଶ ଦେବାକୁ ମନା କରିଦେଇଛନ୍ତି। ଏହାସହିତ ଅଦାଲତ ଅଧିକାରୀ ମାନଙ୍କୁ ବାୟୁ ପ୍ରଦୂଷଣ ନିୟମକୁ କଡାକଡି ପାଳନ କରିବା ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ସୂଚନା ଅନୁସାରେ, ଅଜାନ ବେଳେ ଲାଉଡସ୍ପିକର ଉପରେ ରୋକ୍ ଲଗାଇବା ନେଇ କର୍ଣ୍ଣାଟକ ହାଇକୋର୍ଟରେ ବାଙ୍ଗାଲୋରର ମଞ୍ଜୁନାଥ ଏସ ହଲାବର ଏକ ପିଆଇଏଲ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆଲୋକ ଅରାଧେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ, ଅଜାନ ହେଉଛି ମୁସଲିମଙ୍କ ଧାର୍ମିକ ପ୍ରଥା । ଭାରତୀୟ ସମ୍ବିଧାନର ଧାରା ୨୫ ଓ ୨୬(୧) ଅନୁସାରେ କୌଣସି ବ୍ୟକ୍ତି ନିଜ ଧର୍ମର ପ୍ରଚାର ପ୍ରସାର କରିପାରିବ । ତେବେ ଏହା ସ୍ୱତନ୍ତ୍ର ଅଧିକାରୀ ନହେଲେ ମଧ୍ୟ ସମ୍ବିଧାନର ଭାଗ ୩ରେ ଆସୁଥିବା ପ୍ରତିବନ୍ଧକର ଅଧିନରେ ରହିଛି । କୋର୍ଟ ଆହୁରି କହିଛନ୍ତି ଯେ, ଅଜାନର ଶବ୍ଦ ଅନ୍ୟ ଧର୍ମ କିମ୍ବା ଆବେଦନକାରୀଙ୍କ ପାଇଁ ସମସ୍ୟା କରୁଥିବା କୁହାଯାଉଛି । ମୌଳିକ ଅଧିକାର ହନନ ନେଇ ମଧ୍ୟ କେହିକେହି କହୁଛନ୍ତି । କିନ୍ତୁ ଏହି ତର୍କ ଆଉ କାହାରି ମୌଳିକ ଅଧିକାର ହନନ ନେଇ ପ୍ରମାଣିତ କରୁନାହିଁ ବୋଲି କୋର୍ଟ କହିଛନ୍ତି । ଏହାସହ ଅଜାନ ବେଳେ ଲାଉଡସ୍ପିକର ହଟାଇବା ନେଇ ଆଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Related Posts